ରାଗିଂ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କ କଠୋର କାର୍ଯ୍ୟାନୁଷ୍ଠାନ: ୮୨ ଛାତ୍ରଙ୍କୁ ପଡିଲା ହଜାରେ ଟଙ୍କା ଜରିମାନା

କେନ୍ଦୁଝର(କେନ୍ୟୁଜ୍): ରାଗିଂ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ୮୨ ଜଣ ଛାତ୍ରଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜରିମନା ଓ ଲାଇବ୍ରେରୀରୁ ବହି ଇସ୍ୟୁ ନକରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ। କେନ୍ଦୁଝର ଓଡ଼ିଶା ଖଣି ଓ ଯାନ୍ତ୍ରିକ ଡିପ୍ଲୋମା ସ୍କୁଲର ଖଣ୍ଡାଧାର ଛାତ୍ରାବାସରେ ରାଗିଂ ଅଭିେଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ତ୍ତୃପକ୍ଷ।

୩ୟ ବର୍ଷର ୮୨ ଜଣ ଛାତ୍ରଙ୍କୁ ଏକ ହଜାର ଟଙ୍କା ଲେଖାଏ ଜରିମନା କରାଯାଇଛି। ଏହା ସହ ୫ମ ଏବଂ ଫାଇନାଲ ସେମିଷ୍ଟାର୍‌ ପାଇଁ ସେମାନେ କଲେଜ ଲାଇବ୍ରେରୀରୁ କୌଣସି ବହି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି OSME କର୍ତ୍ତୃପକ୍ଷ। ଗତ ୧୮ ତାରିଖ ଶୁକ୍ରବାର ରାତିରେ ବିଦ୍ୟାଳୟର ଖଣ୍ଡାଧାର ବାଳକ ହଷ୍ଟେଲର ତୃତୀୟ ବର୍ଷର ଛାତ୍ର ୨ୟ ବର୍ଷର ଛାତ୍ରଙ୍କୁ ଡାକି ସେମାନଙ୍କ ମନୋରଞ୍ଜନ କରିବାକୁ କହିଥିଲେ।

ଜୁନିଅର ଛାତ୍ରମାନେ ପ୍ରଥମେ ମନା କରିବାରୁ ସିନିୟନ ଛାତ୍ରମାନେ ସେମାନଙ୍କୁ ଧମକାଇ ନାଚିବାକୁ ଓ ଗୀତ ଗାଇବାକୁ ବାଧ୍ୟ କରିଥିଲେ। ପରେ ୨ୟ ବର୍ଷର ଛାତ୍ରମାନେ ରାଗିଂ ନେଇ ସ୍କୁଲ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ତଦନ୍ତ କମିଟି ଦ୍ୱାରା ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ଆଗକୁ ଆଉ ଏଭଳି ଆଚରଣ କରିବେ ନାହିଁ ବୋଲି ଛାତ୍ରମାନେ ଲିଖିତ ଭାବେ ଅବଗତ କରିଛନ୍ତି।