ଆଇନ ସେବାରୁ ବଞ୍ଚିତ ଲୋକଙ୍କୁ ମିଳିବ ସେବା, ଆଇନ ସେବା ଭବନ ଲୋକାର୍ପଣ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା

କଟକ(କେନ୍ୟୁଜ୍):କଟକ ଆଇନ ସେବା ଭବନ ଲୋକାର୍ପିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି.ରମଣା ଆଇନ ସେବା ଭବନର ଲୋକାର୍ପଣ କରିଛନ୍ତି । ଆଇନସେବା ପ୍ରାଧିକରଣ ନିଜସ୍ୱ ବିଲ୍ଡିଂ ହେଉଛି ଆଇନ ସେବା ଭବନ । ଆଇନ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଆଇନ ସେବା ଯୋଗାଇବ ଆଇନ ସେବା ଭବନ । ପ୍ରଧାନ ବିଚାରପତିଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଓ ଜଷ୍ଟିସ ଭିନିତ ଶରଣ । ଏହା ପରେ ପ୍ରଧାନ ବିଚାରପତି ହାଇକୋର୍ଟର ଡିଜିଟାଲାଇଜେସନ ସେଣ୍ଟର ଓ ହାଇକୋର୍ଟର ରେକର୍ଡ ରୁମ ପରିଦର୍ଶନ କରିଥିଲେ ।

ଓଡିଶା ଜୁଡିସିଆଲ ଏକାଡେମୀ ପରିଦର୍ଶନ କରି ସେଠାରେ ଏକ ସେମିନାରରେ ଯୋଗ ଦେଇଥିଲେ ପ୍ରଧାନ ବିଚାରପତି । ଜୁଡିସିଆଲ ଏକାଡେମୀ ପକ୍ଷରୁ ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ଅନ୍ୟ ଦୁଇ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ପ୍ରଧାନ ବିଚାରପତି ହାଇକୋର୍ଟ ନୂଆ ବିଲ୍ଡିଂରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ହାଇକୋର୍ଟର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିଥିଲେ ।

chief justice 1

 

ଏହା ପୂର୍ବରୁ ଆଜି ସକାଳେ ପ୍ରଧାନ ବିଚାରପତି ଏନଭି ରମଣା ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ସ୍ୱାଗତ କରିଥିଲେ । ପ୍ରାୟ ୪୫ ମିନିଟ୍‌ ଧରି ସେ ଶ୍ରୀମନ୍ଦିର ଭିତରେ ରହିଥିଲେ । ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ଡା ରଜତ ପ୍ରତିହାରୀ ତାଙ୍କ ସହ ଯାଇ ଦର୍ଶନ ବ୍ୟବସ୍ଥା କରିଥିଲେ । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରର ରୂପା ଛାଉଣୀ ଦେଖି ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି । ଏହାସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଟେଜ୍‌ କରିଡର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.