ପାରିବାରିକ ଦୁଶ୍ଚିନ୍ତାର ଫାଇଦା ଉଠାଇଲା ତାନ୍ତ୍ରିକ, ବନ୍ଦ ଘରେ ରଖି ବୋହୂକୁ କରିଚାଲିଥିଲା ଦୁଷ୍କର୍ମ

ଜଲେଶ୍ବର(କେନ୍ୟୁଜ୍):ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପାରିବାରିକ ଅଶାନ୍ତି ଦୂର କରିବା ପାଇଁ  ଜଣେ ତାନ୍ତ୍ରିକ ମାସ ମାସ ଧରି ବନ୍ଦ କୋଠରୀ ଭିତରେ ଦୁଷ୍କର୍ମ କରିଥିବା ନେଇ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ  ଜଳେଶ୍ଵର ଅଞ୍ଚଳର ଜନୈକା ଯୁବତୀ ରାଇବଣିଆ ଥାନା ଅନ୍ତର୍ଗତ ଚମାରଗାଁ ଗ୍ରାମର ନୀଳମଣି ଜେନାଙ୍କୁ ୨୦୧୭ ଜୁନ ୨୨ରେ ବିବାହ କରିଥିଲେ। ତେବେ ବିବାହର କିଛି ମାସ ପରେ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା।ଶାଶୁ-ଶଶୁର ଏବଂ ତାଙ୍କ ପରିବାର ପକ୍ଷରୁ ଯୁବତୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ।

ପାରିବାରିକ ଅଶାନ୍ତି ଦୂର କରିବା ପାଇଁ ଯୁବତୀଙ୍କ  ଶାଶୁ ତାଙ୍କ ବିଶ୍ୱାସ ଜନ୍ମାଇ ଭୋଗରାଇ ଅଞ୍ଚଳର କଖାଡା ଗ୍ରାମର ଜଣେ ତାନ୍ତ୍ରିକଙ୍କ  ପାଖକୁ ନେବା ସହିତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ ଯୁବତୀଙ୍କ  ଅନିଚ୍ଛା ସତ୍ୱେ ଶାଶୁଙ୍କ ଉପସ୍ଥିତିରେ ତାନ୍ତ୍ରିକ ଜଣକ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ଅନ୍ୟ କାହା ଆଗରେ ପ୍ରକାଶ କଲେ ଯୁବତୀଙ୍କ ଅଢେଇ ବର୍ଷର ପୂତ୍ରକୁ ଜୀବନରୁ ମାରି ଦେବାକୁ ଉଭୟ ଶାଶୁ ଏବଂ ତାନ୍ତ୍ରିକ ମିଶି ଧମକ ଦେଇଥିଲେ। ତେଣୁ ଭୟରେ ପୂଅର ଜୀବନ ବଞ୍ଚାଇବା ପାଇଁ କାହାକୁ କିଛି କହି ନଥିଲେ।  ଏହାର କିଛି ଦିନ ପରେ ଶାଶୁ ଉକ୍ତ ତାନ୍ତ୍ରିକ ସହ ମିଶି  ଯୁବତୀ ଏବଂ ତାଙ୍କ ପୂଅକୁ ଅପହରଣ କରି ଏକ ବନ୍ଦ କୋଠରୀ ଭିତରେ ରଖିଥିଲେ।

ଯୁବତୀଙ୍କ ଅନିଚ୍ଛା  ସତ୍ତ୍ବେ ତାନ୍ତ୍ରିକ ଜଣକ ମାସ ମାସଧରି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଗତ ଏପ୍ରିଲ ୨୮ ତାରିଖରେ ତାନ୍ତ୍ରିକର ଅନୁପସ୍ଥିତିର ସୁଯୋଗ ନେଇ  ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଫୋନ କରି ତାଙ୍କୁ ଉଦ୍ଧାର ପାଇଁ କହିଥିଲେ। ଏହା ପରେ ପରିବାର ଲୋକେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏନେଇ ଜଳେଶ୍ଵର ଥାନାରେ ଯୁବତୀଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.