ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀ ମଧ୍ୟରେ ମାରପିଟ୍, ସ୍କୁଲ ପିଲା ବିସ୍କୁଟ ଖାଇ ଫେରିଲେ

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ତାଳପଦା ନୋଡାଲ ସ୍କୁଲରେ ଘଟିଛି ଏକ ଘଟଣା । ମଧ୍ୟାହ୍ନ ଭୋଜନ ରନ୍ଧାକୁ ନେଇ ଏସଏଚଜି ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେଲେ। ଆଉ ତାର ଭିଡିଓ ଏବେ ହେଲା ଭାଇରଲ ହେଉଛି। ଏପଟେ ଏହି ଗଣ୍ଡଗୋଳ ଯୋଗୁଁ ସ୍କୁଲର ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ପାରିଲେ ନାହିଁ । ସେମାନେ ବିସ୍କୁଟ ଖାଇ ଘରକୁ ଫେରିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି, ଦୁଇ ଗୋଷ୍ଠୀର ମହିଳାମାନେ ଭୁଲି ଯାଇଥିଲେ ହିତାହତ ଜ୍ଞାନ। ଗୋଟିଏ ଶିକ୍ଷାନୁଷ୍ଠାନ ଭିତରେ ମାରପିଟ ହେଲେ । ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସଏଚଜି ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯୁକ୍ତିତର୍କରୁ ଆରମ୍ଭ ହେଲା ଆଉ କଥା ଗଲା ମାରପିଟ୍‌ ପର୍ଯ୍ୟନ୍ତ । ତାଙ୍କ କାରନାମା ଯେ ରେକର୍ଡ଼ିଂ ହେଉଛି ସେକଥା ଭୁଲି ଯାଇଥିଲେ ।

ଏପଟେ ଏମାନଙ୍କ ଗଣ୍ଡଗୋଳରେ ମଧ୍ୟାହ୍ନ ଭୋଜନ ରନ୍ଧା ହୋଇ ପାରିଲା ନାହିଁ । ତେଣୁ ସ୍କୁଲ ଶିକ୍ଷକ ନିଜ ପକେଟ୍‌ରୁ ପଇସା ଖର୍ଚ୍ଚ କରି ବିସ୍କୁଟ ଆଣିଥିଲେ । ଯାହାକୁ ଖାଇ ପିଲାମାନେ ଘରକୁ ଫେରିଥିଲେ । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଏହି ସ୍କୁଲ । ଯେଉଁଠି ଘଟିଗଲା ଏହି ଅଭାବନୀୟ ଘଟଣା । ସେମାନଙ୍କ ବିରୋଧରେ ଆସନ୍ତାକାଲି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.