ସମ୍ବଲପୁର: ହୁତୁହୁତୁ ହୋଇ ଜଳି ଉଠିଲା ପିଚୁ କାରଖାନା, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ । ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଗତକାଲି ରାତି ପାଖାପାଖି ୯ଟା ସମୟରେ ଶ୍ରମିକ କାମ କରୁଥିବାବେଳେ ହଠାତ୍ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମୁତାବକ ସ୍ଥାନୀୟ ଏକ ପିଚୁ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହାଫଳରେ କାରଖାନାଟି ହୁତୁହୁତୁ ହୋଇ ଜଳିଯାଇଥିଲା।

ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳତା ପାଇଥିଲେ । ଯାହା ସୂଚନା ମିଳିଛି ଏହି ଅଘଟଣରେ  କେହି ମୃତାହତ ହୋଇନାହାନ୍ତି। ତେବେ କାରଖାନାରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଅନ୍ଯପଟେ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏଯାଏ ହୋଇନି। ପୋଲିସ୍‌ କାରଖାନା କର୍ମଚାରୀ ଓ ସାଧାରଣ ଲୋକଙ୍କୁ ପଚରାଉଚରା କରିବା ସହିତ ଘଟଣାକୁ ଅନୁଧ୍ଯାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.