ଭକ୍ତଙ୍କୁ ମାଡ ମାରି ନାକ ଫଟାଇ ଦେଲେ ଉଠା ଦୋକାନୀ, ଥାନାରେ ଅଭିଯୋଗ

କିଛି ଦିନ ପୂର୍ବରୁ ଜଣେ ନଡ଼ିଆ ଦୋକାନୀଙ୍କ ମାଡ଼ରେ ଜଣେ ଭକ୍ତ ଲହୁଲୁହାଣ ହୋଇଥିବା ବେଳେ। ପୁଣି ଏଭଳି ଘଟଣା ଘଟିଛି । ଜଣେ ଭକ୍ତକୁ ନଡିଆ ଦୋକାନୀ ମାଡ ମାରି ନାକ ଫଟାଇ ଦେଇଥିବା ନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଛି ।

କେନ୍ଦୁଝର(କେନ୍ୟୁଜ): ମା ତାରିଣୀଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଏବେ ଅସୁରକ୍ଷିତ। ମନ୍ଦିର ବାହାରେ ଥିବା ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢିଯାଇଥିବାରୁ ଭକ୍ତ ମାନେ ଆକ୍ରୋଶର ଶିକାର ହେଉଛନ୍ତି । ଭୋଗ ଦୋକାନୀ ମାନେ ଭୋଗ ସାମଗ୍ରୀକୁ ମନ ଇଚ୍ଛା ଚଢା ଦରରେ ବିକ୍ରି କରୁଛନ୍ତି ଏବଂ ଏହାକୁ କେହି ଯଦି ବିରୋଧ କରୁଛନ୍ତି ତେବେ ଆକ୍ରମଣର ଶିକାର ହେଉଛନ୍ତି । କିଛି ଦିନ ପୂର୍ବରୁ ଜଣେ ନଡ଼ିଆ ଦୋକାନୀଙ୍କ ମାଡ଼ରେ ଜଣେ ଭକ୍ତ ଲହୁଲୁହାଣ ହୋଇଥିବା ବେଳେ। ପୁଣି ଏଭଳି ଘଟଣା ଘଟିଛି ।

ଜଣେ ଭକ୍ତକୁ ନଡିଆ ଦୋକାନୀ ମାଡ ମାରି ନାକ ଫଟାଇ ଦେଇଥିବା ନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ବାଂଶଲା ଗାଁରୁ ଏକ ଗାଡ଼ିରେ କିଛି ଭକ୍ତ ତାରିଣୀ ଦର୍ଶନ ପାଇଁ ଆସିଥିଲେ । ମନ୍ଦିର ସମ୍ମୁଖରେ ଥିବା ନଡ଼ିଆ ଦୋକାନୀ ବଳରାମ ମହାକୁଡଙ୍କ ଦୋକାନରୁ ଭୋଗ କିଣିବା ସମୟରେ ନଡ଼ିଆ ଦରକୁ ନେଇ ଯୁକ୍ତିତର୍କ ହୋଇଥିଲା । ଭକ୍ତ ବାଦଲ ମହାନ୍ତି ସେହି ଦୋକାନରୁ ନଡ଼ିଆ ନକିଣି ଅନ୍ୟ ଦୋକାନକୁ ଯାଇଥିଲେ। ଏଥିରେ ରାଗିଯାଇ ଦୋକାନୀ ଖରାପ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ । ଏହାକୁ ବାଦଲ ବିରୋଧ କରିବାରୁ ଦୋକାନୀ ରାଗିଯାଇ ବାଦଲକୁ ଆକ୍ରମଣ କରି ନାକ ଫଟାଇ ଦେଇଥିଲେ । ଏହାପରେ ଆସିଥିବା ଭକ୍ତମାନେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

ଭକ୍ତମାନଙ୍କ ଉପରେ ଯଦି ଏଭଳି ଭାବେ ଆକ୍ରମଣ ହେବ ତେବେ ସମୟ ଏମିତି ଆସିବ ମା’ଙ୍କ ଦର୍ଶନ ପାଇଁ ଲୋକେ ଏଠାକୁ ଆସିବାକୁ ଭୟ କରିବେ । ଭୋଗ ଦୋକାନୀ ଯଦି ଏମିତି ମନ ଇଚ୍ଛା ଭୋଗର ଦାମ ବଢ଼ାଇବେ ତେବେ ଗରିବ ଲୋକମାନେ ମା’ଙ୍କୁ ଭୋଗ ଲଗାଇବା ମଧ୍ୟ ସମ୍ଭବ ହେବ ନାହିଁ । ଏ ଦିଗରେ ଯଦି ପ୍ରଶାସନ ଧ୍ୟାନ ଦେବ ତେବେ ଏଭଳି ଦୁର୍ଘଟଣା ହୁଏତ ଆଉ ଘଟିବନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.