ହିଟ୍ ୱେଭ୍ କାରଣରୁ ବଦଳିଲା ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍: ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ

କଟକ (କେନ୍ୟୁଜ୍): ମାଟ୍ରିକ ପରୀକ୍ଷାସୂଚୀରେ ହେଲା ଆଂଶିକ ପରିବର୍ତ୍ତନ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ ଆଣିଛନ୍ତି।

ଅନ୍ୟପଟେ ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ । ମଧ୍ୟମାର କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପରୀକ୍ଷା ସେଣ୍ଟରଗୁଡିକରେ ପାଣି ସହ ଓଆରଏସ ବ୍ୟବସ୍ଥା କରାଯାଇଛି। ମାଟ୍ରିକ ପରୀକ୍ଷା ସମୟ ସୂଚୀ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।ଏଥିସହିତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେବେ । ୪ ହଜାର ୪୪୩ ଜଣ ମଧ୍ୟମା ଏବଂ ୯ ହଜାର ୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଅଛନ୍ତି ।

ଏଥିପାଇଁ ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ଗତ ୨୨ ତାରିଖ ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି । ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଏସ୍‌ପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.