ଆଜି ମହାଶିବରାତ୍ରି: କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା

ଭୁବନେଶ୍ବର: ଆଜି ମହାଶିବରାତ୍ରି । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀଲିଙ୍ଗରାଜଙ୍କ ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠରେ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କୁ ଧାଡିରେ ଦର୍ଶନ କରିବା ସହ ମନ୍ଦିର ଭିତରେ ଦୀପ ଜାଳିପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ ଚଳିତବର୍ଷ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା କରାଯିବ ।

ଭୋର ୩ଟାରୁ ସାଢେ ୩ଟା ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବା ପରେ ସାହାଣ ମେଲା ଦର୍ଶନ ହୋଇଛି । ସକାଳ ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ହେବ । ବିଭିନ୍ନ ରୀତିନୀତି ସହ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରୁ ୨ଟା ୩୦ ମଧ୍ୟରେ ସକାଳ ଧୂପ ହେବ । ସଂଧ୍ୟା ୭ଟା ୧୦ରୁ ସାଢେ ସାତଟା ମଧ୍ୟରେ ସଂଧ୍ୟା ଆଳତୀ ହେବ । ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଜାଗରରେ ସାମିଲ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହୋଇଛି । ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କଲା ପରେ ସେମାନଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର, ମାସ୍କ ପରିଧାନ, ସାମାଜିକ ଦୂରତା ରଖିବା ଉପରେ ନଜର ରଖାଯିବ ।

ମନ୍ଦିର ଭିତରେ ମଧ୍ୟ ବ୍ୟାରିବେଡ କରାଯାଇଛି । ଗର୍ଭ ଗୃହକୁ ମନା, ଆଡକାଠ ପଛରୁ ଦର୍ଶନ କରିବେ ଭକ୍ତ । ଖରା ବଢୁଥିବା ଦେଖି ଭକ୍ତଙ୍କ ପାଇଁ ୧୪ ଟି ଓ୍ଵାଟର ପଏଣ୍ଟ ଓ ୧୦ହଜାରରୁ ଅଧିକ ପାଣି ବୋତଲ ଓ ପାଣି ଛିଚଂନର ବ୍ୟବସ୍ଥା କରାଯାଇଛି । ୭ ଟି ସ୍ଥାନରେ ଶୌଚାଳୟ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୩୪ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ରହିଛନ୍ତି । ଏହାସହ ଭିଡ ନିୟନ୍ତ୍ରଣ ପାଇଁ ୧୭ ଇନ୍‌ସ୍ପେକ୍ଟର ଓ ୮୬ ଜଣ ସବଇନ୍‌ସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.