ଦାଦନ ପାଇଁ ବଳି ପଡିଗଲା ପରିବାର, ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏହି ଦୁଇ ଅସହାୟ ବିଧବା ମହିଳା

ଦାଦନ ହେଉଛି ଏକ ଦୁଃଖର ନାଁ । ପେଟର ଭୋକକୁ ସହି ନପାରିଲେ ମଣିଷ ନିଜ ଭିଟା ମାଟି ଛାଡ଼ି ଚାଲିଯାଏ ଅନ୍ୟ ଜାଗାକୁ, ପର ଦୁଆରେ ଖଟିବାକୁ । ଅନେକ ଦୁଃଖ, ଯନ୍ତ୍ରଣା ଆଉ ନିର୍ଯାତନା ଥାଏ ଏମାନଙ୍କ ଭାଗ୍ୟରେ । ଏମିତି ଦାଦନ ପାଇଁ ଗୋଟିଏ ପରିବାର ବଳି ପଡିଯାଇଛି । ପରିବାର ଚଳାଇବା ପାଇଁ ଦିନେ ୨୦ ବର୍ଷର ଝିଅ ଯାମିନୀ ଘରୁ ପାଦ କାଢିଥିଲା । ଭାବିଥିଲା କିଛି ରୋଜଗାର କଲେ ପରିବାର ମୁଁହରେ ଦାନା ଦେବ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଯାମିନୀ ପରିବାରର ଦୁଃଖ କଥା ଶୁଣିଲେ ହୃଦୟ ଥରିଯିବ, ଆଖିରେ ଲୁହ ଆସିଯିବ ।

ବଲାଙ୍ଗିର ଜିଲ୍ଲା ପଖନ ମୁଣ୍ଡା ଗାଁ’ର ଶୁକ୍ରୁ ମାଝୀଙ୍କ ପରିବାର.. କିଛିଦିନ ତଳେ ଶୁକ୍ରୁଙ୍କ ଝିଅ ଯାମିନୀ ଗାଁ’ର ଅନ୍ୟମାନଙ୍କ ସହ ଦାଦନ ସର୍ଦାର କଥାରେ ପଡି କାମ କରିବାକୁ ଚାଲି ଯାଇଥିଲା ଆନ୍ଧ୍ର ପ୍ରଦେଶ । କିଛିଦିନ ପରେ ଗାଁକୁ ସମସ୍ତେ ଫେରିଲେ କିନ୍ତୁ ଫେରିଲାନି ଯାମିନୀ । ବାପା ମାଆ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିଲେ ଝିଅ କୁଆଡ଼େ ଗଲା ବୋଲି । କିଏ କହିଲା ଯାମିନୀ ମରି ଯାଇଛି, ଆଉ କିଏ କହିଲା ଯାମିନୀ ନିଖୋଜ ଅଛି । ଗରିବ ଅଶିକ୍ଷିତ ଲୋକ । ଝିଅକୁ ଖୋଜିବା ଲାଗି କିଛି ବି କରି ପାରିଲେନି । ଏମିତି ଝିଅକୁ ଝୁରି ହୁରି କିଛିଦିନ ପରେ ବାପା ଶୁକ୍ରୁ ମାଝୀଙ୍କର ମୃତ୍ୟୁ ଘଟିଲା । ଏଇ ପରିବାର ପାଇଁ ସେତିକି ଦୁଃଖ ବୋଧହୁଏ ଯଥେଷ୍ଟ ନଥିଲା । ଯାମିନୀ ବାପା ମରିବାର ଅଳ୍ପ କେଇ ଦିନ ପରେ ପୁଅକୁ ଝୁରି ଝୁରି ତାର ଜେଜେବାପା ମଧ୍ୟ ଆରପାରିକୁ ଚାଲିଗଲେ । ଘରେ ବାକି ରହିଗଲେ ଦୁଇ ବିଧବା ମହିଳା । ଯାମିନୀର ମା ଓ ଜେଜେ ମା । ଆଉ ତାର କୁନି କୁନି ଚାରି ଭାଇ ଭଉଣୀ । ଚାଳ କୁଡିଆ ଘରେ ବାହୁନୀ ବାହୁନୀ କାନ୍ଦିବା ଛଡା ଏମାନଙ୍କ ପାଖେ ଆଉ କିଛି ଉପାୟ ନାହିଁ । ସେମାନେ ନିଜ ଦୁଃଖକୁ ନା କାହାକୁ କହିପାରୁଛନ୍ତି ନା ସହି ପାରୁଛନ୍ତି ।

ଯାମିନୀ ତ ଫେରିଲାନି କିନ୍ତୁ ତା ପାଇଁ ଘରର ଦୁଇଜଣ ରୋଜଗାରିଆ ଓ ମୁରବୀ ଚାଲିଗଲେ ଆରପାରିକୁ । ଏବେ ଦୁଇ ବିଧବା ମହିଳାଙ୍କ ନିଜର ଓ ପିଲାଙ୍କ ମୁଁହରେ ଦାନା ଗଣ୍ଡେ ଦେବାକୁ କେହି ବି ନାହିଁ । ଖୁବ୍‌ ଅସହାୟ ହୋଇପଡ଼ିଛନ୍ତି ଏମାନେ । ଏପଟେ ଜଣା ନାହିଁ ଯାମିନୀ ପ୍ରକୃତରେ ମୃତ ନା ଜୀବିତ ? ଘଟଣା ଜାଣିବା ପରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗ କହିଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ନ୍ୟାୟ ପାଇଁ ଲଢ଼ିବାକୁ ମନରେ କି ଦେହରେ ବଳ ନାହିଁ । ପ୍ରଥମେ ନିଜେ ବଞ୍ଚିଲେ ତ କିଛି କରିବେ ? ତେଣୁ ଜିଲ୍ଲା ପ୍ରଶାସନ ଏହି ଦୁଇ ଅସହାୟ ମହିଳାଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.