ଆଜି ଓଡିଶା ହାଇକୋର୍ଟରେ ଶପଥ ଗ୍ରହଣ କରିବେ ଦୁଇ ନୂଆ ବିଚାରପତି

କଟକ(କେନ୍ଯୁଜ୍): ଆଜି ଓଡିଶା ହାଇକୋର୍ଟରେ ଶପଥ ଗ୍ରହଣ କରିବେ ଦୁଇ ନୂଆ ବିଚାରପତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ସକାଳ ୧୦.୧୫ ମିନିଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ. ମୁରଲୀଧର, ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଶପଥ ପାଠ କରାଇବେ । ଦୁଇ ବିଚାରପତି ଓଡିଶାରେ ପହଁଚି ସାରିଛନ୍ତି । ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ଗତକାଲି ହାଇକୋର୍ଟରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଆଜି ଦୁଇ ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୪ ରେ ପହଁଚିବ । ଜଷ୍ଟିସ ଯଶୱନ୍ତ ସିଂ ୧୯୬୧ ମସିହା ଫେବୃଆରୀ ୨୩ ତାରିଖରେ ହରିୟାଣାର ରୋହତକରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ ମସିହାରେ ସ୍ନାତକ ଶେଷ କରିବା ପରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଓ ଏମବିଏ ଡିଗ୍ରୀ ହାସଲ କରିଥିଲେ । ୧୯୮୬ ମସିହାରେ ଓକିଲ ଭାବେ ପଞ୍ଜିକୃତ ହେବା ପରେ ୧୯୮୮ ରୁ ସିରସା ଜିଲା କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୯୯୧ ମସିହାରେ ସେ ଚଣ୍ଡୀଗଡ଼ ଯାଇ ପଞ୍ଜାବ ହରିୟାଣା ହାଇକୋର୍ଟରେ ଓକିଲାତି କରିଥିଲେ । ଏହାପରେ ସେହି ହାଇକୋର୍ଟରେ ସରକାରୀ ଓକିଲ ଭାବେ ଦୀର୍ଘ ଦିନ କାର୍ଯ୍ୟ ସମ୍ପାଦନ କରିଥିଲେ । ୨୦୦୭ ଡିସେମ୍ବର ୫ରେ ସେ ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ସେବେଠାରୁ ଏବେ ଯାଏଁ ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଥିଲେ ।

ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୬୫ ମସିହା ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ପରେ ୧୯୯୧ ମସିହା ମାର୍ଚ୍ଚ ୧୧ ତାରିଖରେ ଓକିଲ ଭାବେ ନିଜ ନାମ ପଞ୍ଜିକରଣ କରି କଲିକତା ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ଦେୱାନୀ, ବାଣିଜ୍ୟ ଓ ସମ୍ବିଧାନ ସଂକ୍ରାନ୍ତିୟ ମାମଲାର ସଫଳ ପରିଚାଳନା କରି ୨୦୧୩ ଅକ୍ଟୋବର ୩୦ ରେ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୬ ମାର୍ଚ୍ଚ ୧୪ ତାରିଖରେ ସେହି ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ଏବେ ଯାଏଁ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.