ଅଦରକାରୀ ଜିନିଷ ପାଉଛନ୍ତି ଜୀବନ୍ତ ରୂପ, ମନ ମହୁଛି ଚିତ୍ରକଳା

ଦିନ ଥିଲା ଯାହା ସମସ୍ତଙ୍କ ପାଇଁ ଅଦରକାରୀ ଥିଲା ତାହା ଆଜି ଦରକାରୀ ସାମଗ୍ରୀରେ ପରିଣତ ହୋଇପାରିଛି । ଆଉ ଏହାକୁ କରି ଦେଖାଇଛନ୍ତି ଯାଜପୁର ମୁଗୁପାଳ ଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ ଅଭିପ୍ସା ସ୍ୱାଇଁ ।

ଯାଜପୁର ଟାଉନ (କେନ୍ୟୁଜ): ଅଦରକାରୀ ଜିନିଷରୁ ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତ କରି ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି ଜଣେ କଲେଜ ଛାତ୍ରୀ । ଦିନ ଥିଲା ଯାହା ସମସ୍ତଙ୍କ ପାଇଁ ଅଦରକାରୀ ଥିଲା ତାହା ଆଜି ଦରକାରୀ ସାମଗ୍ରୀରେ ପରିଣତ ହୋଇପାରିଛି । ଆଉ ଏହାକୁ କରି ଦେଖାଇଛନ୍ତି ଯାଜପୁର ମୁଗୁପାଳ ଗ୍ରାମର ରତ୍ନାକର ସ୍ୱାଇଁଙ୍କ ଝିଅ ଅଭିପ୍ସା ସ୍ୱାଇଁ । ଛୋଟ ବେଳରୁ ଚିତ୍ର ପ୍ରତି ଥିଲା ପ୍ରବଳ ଦୁର୍ବଳତା ।ପାଠପଢ଼ାର ବୋଝ ଭିତରେ ନିଜ ଭିତର ଥିବା ଅନ୍ତର୍ନିହିତ ଗୁଣ ଚିତ୍ରକଳାର ଦୁର୍ବଳତା ଦବି ଯାଇଥିଲା ।

ଏବେ ସେ ଯୁକ୍ତ ତିନି ବିଜ୍ଞାନ ପାଠ ପଢ଼ିବା ସହିତ ନିଜର ସେହି ଦବି ଯାଇଥିବା ଦୁର୍ବଳତାକୁ ବାହାରକୁ ଆଣିଛନ୍ତି ଅଭିପ୍ସା । ଗତ କିଛି ମାସ ହେବ ସେ ବିଭିନ୍ନ ଅଦରକାରୀ ଜିନିଷରୁ ପ୍ରସ୍ତୁତ କରୁଛନ୍ତି ଏଭଳି ଦରକାରୀ ଜିନିଷ । ଯାହାକୁ ଦେଖିଲେ କେହି ଘଡିଏ ଅଟକି ଯିବ । ଆଖପାଖରେ ମିଳୁଥିବା ଅଦରକାରୀ ଜିନିଷକୁ ବ୍ୟବହାର କରି ଭଳିକି ଭଳି ସୁନ୍ଦର ଜିନିଷ ପ୍ରସ୍ତୁତ କରୁଛନ୍ତି ଅଭିପ୍ସା । ତାଙ୍କର ଏଭଳି ଉଦ୍ୟମ ଫଳରେ ପରିବେଶକୁ ରକ୍ଷା କରାଯାଇପାରୁ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଘର ଆଖପାଖ ଏବଂ ରାସ୍ତାଘାଟରୁ ମିଳୁଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ଔଷଧ ଖୋଳ, ନଡିଆ ସେଢ଼ଇ, ଦୀପ, ଖରାପ, ପ୍ଲାଷ୍ଟିକ ଚା’ କପ, ଗୁଆ, କଉଡି ସହ ଘରର ଅଦରକାରୀ ଜନିଷକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଚିତ୍ରରେ ସଜାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ଅଭିପ୍ସା । ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ଚିତ୍ରକଳା ପ୍ରସ୍ତୁତ କରିପାରିଛନ୍ତି । ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳେ ।

ନିଜ ଦ୍ୱାରା ପ୍ରସ୍ତୁତି ହୋଇଥିବା ଜିନିଷରେ ସେ ନିଜ ଘର ସଜାଇବା ସହିତ ଅନ୍ୟ ମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ଆଗାମୀ ଦିନର ସେ ଓଡିଶାର ଜଣେ ଭଲ ଚିତ୍ର ଶିଳ୍ପୀ ହେବାକୁ ଆଶା ରଖିଛନ୍ତି । ପରିବେଶକୁ ସୁରକ୍ଷା ଦେବା ପାଇଁ ଅଭିପ୍ସାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏଭଳି ଉଦ୍ୟମକୁ ଯଦି ସମସ୍ତେ ଗ୍ରହଣ କରନ୍ତେ ତାହାଲେ ଅନେକ ପ୍ରଦ୍ୟୁଷଣକୁ ରୋକା ଯାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.