ମଝି ରାସ୍ତାରେ ତଳି ରୋଇଲେ ଗ୍ରାମବାସୀ, ଗାଁକୁ ଆମ୍ବୁଲାନ୍ସ ଆସିବା ସାତ ସପନ

ଭଲ ରାସ୍ତା ନଥିବାରୁ ପ୍ରତିବାଦ କରି ରାସ୍ତାରେ ଗାଁ ଲୋକେ ଧାନ ତଳି ରୋଇଛନ୍ତି । ଏମିତିକି ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ମଧ୍ୟ ଗାଁ ଲୋକ ଚେତାବନୀ ଦେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ପିରହାଟ ନଳତେଇ ଗାଁରୁ ସାମ୍ନାକୁ ଆସିଛି ।

କାଦୁଅ ରାସ୍ତାରେ ଧାନ ତଳି ରୋଇଛନ୍ତି ଗାଁ ଲୋକେ । କେତେ ବା ଆଉ ଧୈର୍ଯ୍ୟ ଧରିବେ । ରାସ୍ତା ନଥିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସ୍କୁଲ ପିଲା ପାଠ ପଢ଼ିବା ପାଇଁ ସାଇକେଲ ଗଡ଼େଇ ଗଡ଼େଇ ସ୍କୁଲ ଯାଉଛନ୍ତି । ସରକାର ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ଏବେ ବି ଅନେକ ଗାଁ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଲୁଚି ରହିଛି । ସରକାରଙ୍କ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରୁନି । ରାସ୍ତାକୁ ନେଇ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଗାଁ ଲୋକେ । ତେବେ ଭଲ ରାସ୍ତା ନଥିବାରୁ ପ୍ରତିବାଦ କରି ରାସ୍ତାରେ ଗାଁ ଲୋକେ ଧାନ ତଳି ରୋଇଛନ୍ତି । ଏମିତିକି ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ମଧ୍ୟ ଗାଁ ଲୋକ ଚେତାବନୀ ଦେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ପିରହାଟ ନଳତେଇ ଗାଁରୁ ସାମ୍ନାକୁ ଆସିଛି ।

ଭଲ ରାସ୍ତା ନାହିଁ ତ ଭୋଟ ନାହିଁ ନାରା ଦେଇ ପ୍ରତିବାଦ କରିଛନ୍ତି ଗାଁ ଲୋକେ । ସରୁ ରାସ୍ତା ପୁଣି ଦୁଇ ପାଖରୁ ଗଛ ଲତା ମାଡ଼ି ଯାଇଛି । ଖରା ଦିନେ ଯାହା ବି ହେଲେ ଚଳି ଯାଉଥିଲେ ମଧ୍ୟ ବର୍ଷା ଦିନ ହେଲେ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟେ ଏହି ରାସ୍ତା । ରାସ୍ତା ପାଇଁ ହଇରାଣ ହେଉଛନ୍ତି ନଳତେଇ ଗାଁର ୧ ନମ୍ୱର ଓ ୨ ନମ୍ୱର ଓାର୍ଡ ବାସିନ୍ଦା । ଗାଁକୁ ଭଲ ରାସ୍ତାଟିଏ ପାଇଁ ଚାନ୍ଦବାଲି ବିଧାୟକଙ୍କ ଠାରୁ ଆରମ୍ଭ କରି ତିହିଡି ବ୍ଲକର ବିଡିଓ , ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କୁ ବାରମ୍ୱାର ଦାବି ଜଣାଇଥିଲେ ବି ରାସ୍ତା ହେବ ହେବ ବୋଲି ଉତ୍ତର ମିଳିଛି କିନ୍ତୁ ରାସ୍ତା ହୋଇନାହିଁ । ଏମିତି ଅଭିଯୋଗ କରିଛନ୍ତି ନଳତେଇ ଗାଁ ଲୋକେ ।

ନଳତେଇ ଗାଁର ୨ଗୋଟି ଓାର୍ଡର ଲୋକସଂଖ୍ୟା ପାଖାପାଖି ୭ ଶହ । ପ୍ରତ୍ୟେକ ଦିନ ସାନ ନଳତେଇ ଓ ବଡ଼ ନଳତେଇ ଗାଁର ଲୋକମାନେ ଏହି ଖାଲ ଖମା ରାସ୍ତା ଦେଇ ବଜାର ,ବ୍ଲକ ଏବଂ ତହସିଲ ଯାଉଛନ୍ତି । ରାସ୍ତା ଅବସ୍ଥା ଏତେ ଖରାପ ଯେ ବେଳେବେଳେ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି । ଅସରାଏ ବର୍ଷା ହେଲେ ଖାଲରେ ପାଣି ଜମି ଯାଉଛି । ଗର୍ଭବତୀ ମହିଳାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଟିଏ ଆସିବା ସାତ ସପନ । ଯେଉଁ ରାସ୍ତାରେ ଚାଲି ଚାଲି ଯିବାକୁ ହଇରାଣ ହେଉଛନ୍ତି ଗାଁ ଲୋକେ, ସେହି ରାସ୍ତାରେ ଆମ୍ବୁଲାନ୍ସ ଆସିବ ବା କିପରି ? ଦୀର୍ଘ ୫ବର୍ଷ ହେଲା ରାସ୍ତାଟି ଖରାପ ହୋଇପଡିଥିଲେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାସ୍ତାର ଟେଣ୍ଡର କାମ ସରିଥିଲେ ମଧ୍ୟ କାମ ଆରମ୍ଭ ହେଉନି । ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାସ୍ତା କାମ ହେବ ବୋଲି ଗାଁ ଲୋକଙ୍କୁ ବାରମ୍ୱାର କହୁଛନ୍ତି କିନ୍ତୁ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । କାମ ଆରମ୍ଭ ହେଉନଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନାହିଁ । ନାନା ହଇରାଣ ହୋଇ ଶେଷରେ ରାସ୍ତାରେ ତଳି ରୋଇବା ଭଳି କାମ କରିଛନ୍ତି ଏହି ଗାଁ ଲୋକେ । ସମସ୍ୟା ଘେରରେ ରହି ବାରମ୍ବାର ରାସ୍ତା ଖଣ୍ଡେ ପାଇଁ ଦାବି କରୁଥିଲେ ମଧ୍ୟ କେହି ଏମାନଙ୍କ ଦୁଃଖ ଶୁଣୁ ନାହାନ୍ତି । ଯଦି ରାସ୍ତା ଖଣ୍ଡିଏ ହୋଇ ପାରନ୍ତା ଏମାନଙ୍କ ଦୁଃଖ ସରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.