ଗ୍ରୀଷ୍ମ ପୂର୍ବରୁ ଜଳକଷ୍ଟ: ଦୁର୍ଗନ୍ଧ ପାଣି ପିଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି ଗାଁ ଲୋକେ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । କୂପ ଓ ନଳକୂପ ଗୁଡିକ ବହୁ ପୁରୁଣା ହୋଇଥିବାରୁ ଏହାର ଗୋଳିଆ ଓ ଆଇରନ୍ ମିଶା ପାଣି ଉପଯୋଗୀ ହୋଇରହିନାହିଁ । ଦିନ ପରେ ଦିନ ଗଡିଚାଲିଛି, ହେଲେ ନାଁ ଏହାର ମରାମତି ହେଉଛି ନାଁ ଏହା କାର୍ଯ୍ୟକ୍ଷମ ହେଉଛି । ଫଳରେ ଲୋକେ ପାଣିପାଇଁ ନାନା ହଇରାଣ ହରକତ ହେଉଛନ୍ତି ।

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । କୂପ ଓ ନଳକୂପ ଗୁଡିକ ବହୁ ପୁରୁଣା ହୋଇଥିବାରୁ ଏହାର ଗୋଳିଆ ଓ ଆଇରନ୍ ମିଶା ପାଣି ଉପଯୋଗୀ ହୋଇରହିନାହିଁ । ପ୍ରାୟ ତିନିବର୍ଷ ତଳେ ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବାକୁ ପାଇପ୍ ବିଛାଯାଇଥିଲା । ଓଭର ହେଡ୍ ଟାଙ୍କି ବି ନିର୍ମାଣ ହୋଇଥିଲା । ମାତ୍ର ଏହା କାର୍ଯ୍ୟକ୍ଷମ ହେବାର ଦୁଇଦିନ ନପୁରୁଣୁ ଅଚଳ ହୋଇଗଲା । ଦିନ ପରେ ଦିନ ଗଡିଚାଲିଛି, ହେଲେ ନାଁ ଏହାର ମରାମତି ହେଉଛି ନାଁ ଏହା କାର୍ଯ୍ୟକ୍ଷମ ହେଉଛି । ଫଳରେ ଲୋକେ ପାଣିପାଇଁ ନାନା ହଇରାଣ ହରକତ ହେଉଛନ୍ତି । ସେପଟେ ବିଡିଓ କହୁଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ତେଲିଆ ପଦାର୍ଥ ଭାସୁଛି । ଆଉ ଏଥିରୁ ଉତ୍କଟ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି । ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର ଶୀକାର ହେଉଛନ୍ତି । ବାଧ୍ୟହୋଇ ଲୋକେ ସେହି ଆଇରନ୍ ମିଶା ପାଣି ବ୍ୟବହାର କରୁଛନ୍ତି । କିଛି ଲୋକ କୁଅପାଣି ବ୍ୟବହାର କରୁଛନ୍ତି । କିନ୍ତୁ କୂଅ ଗୁଡିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର । କୂଅ ପାଖରେ ଚାନ୍ଦିନୀ ନାହିଁ କି କୂଅ ଉପରେ ଢାଙ୍କୁଣି ନାହିଁ । ବର୍ଷା ଦିନେ ରାସ୍ତାଘାଟ ପାଣି କୂଅରେ ପଶିଯାଉଛି । କୂଅ ଗୁଡିକ ଉଝୁଳା ହେଉନି କିମ୍ବା ଏହାକୁ ବିଶୋଧନ କରାଯାଉନି । ଖରାଦିନେ କୁଅରୁ ପାଣି ସୁଖି ଯାଉଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଅସ୍ବାସ୍ଥ୍ୟକର ପରିବେଶରେ ଥିବା କୂଅ କିମ୍ବା ନଳକୂପର ପାଣି ପିଇବା ଦ୍ୱାରା ଅନେକ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ତଥାପି ଏହି ଲୋକମାନେ ଆଶାରେ ଅଛନ୍ତି ସେମାନଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ ବୋଲି । ନଳକୁପ ଗୁଡିକରୁ ଆଇରନ ପାଣି ବାହାରୁ ଥିବାରୁ ଏଠାରେ ଆଇରନ୍ ରିମୁଭାଲ୍ ପ୍ଲାଣ୍ଟ ବସାଇବାକୁ କୌଣସି ପଦକ୍ଷେପ ନିଆଯାଉନି । ପାନୀୟ ଜଳ ସମସ୍ୟା ବିଷୟରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ରସୁଲପୁର ବ୍ଲକର ବିଡିଓଙ୍କୁ ପଚାରିବାରୁ ସେ କହିଲେ ଖୁବ୍ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ । କେବେ ହେବ ପ୍ରକଳ୍ପର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଉ କେବେ ହେବ ପାଣି ସମସ୍ୟାର ସ୍ଥାୟୀ ସମାଧାନ ତାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.