ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜେଡିର ଆଭିମୁଖ୍ୟ? କାହାକୁ ସମର୍ଥନ କରିବେ ନବୀନ ? ଏନଡିଏ ନା ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ? ରାଇସିନା ରେସ୍‌ ପାଇଁ ବିଗୁଲ ବାଜିବା ପରେ ଏବେ ସାରା ଦେଶର ନଜର ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ। ୨୦୧୭ ରାଷ୍ଟ୍ରପତି ନିର୍ବାଚନ ବେଳେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା ବିଜେଡି । କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ଦଳ । ଏଥର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡି ସମେତ ଆଞ୍ଚଳିକ ଦଳଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନ ଥିବା ବେଳେ ନିର୍ଣ୍ଣାୟକ ଭୂମିକାରେ ରହିବେ ବିଜେଡି, ଟିଆରଏସ୍‌ ଓ ୱାଇଏସ୍‌ଆର କଂଗ୍ରେସ । ପୂର୍ବରୁ ଗତ ମେ ୩୦ରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। କିନ୍ତୁ ଏଥିରେ ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନାକୁ ଖଣ୍ଡନ କରିଥିଲେ ମୁଖ୍ୟମନ୍ତ୍ରୀ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟା ଏନଡିଏ ପାଖରେ ନାହିଁ। ବିଜେପି ଓ ସହଯୋଗୀ ଦଳଗୁଡ଼ିକର ୪୮.୯% ଭୋଟ୍‌ ରହିଛି। ଅଣ ଏନଡିଏ ପାଖରେ ରହିଛି ୫୧.୧% ଭୋଟ୍‌। ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨% କମ୍‌ ଭୋଟ୍‌ ରହିଛି। କଂଗ୍ରେସ ପାଖରେ ୨୧.୯% ଭୋଟ୍‌ ଥିବା ବେଳେ ଅନ୍ୟ ଅଣ ଏନଡିଏ ଦଳଗୁଡ଼ିକ ପାଖରେ ରହିଛି ୧୯.୭ ପ୍ରତିଶତ ଭୋଟ୍‌। ଆଞ୍ଚଳିକ ଦଳ ପାଖରେ ରହିଛି ୯. ୫%ଭୋଟ୍‌। ୱାଇଏସଆର କଂଗ୍ରେସ ପାଖରେ ୪ %, ବିଜେଡି ପାଖରେ ୨.୯% ଏବଂ ଟିଆରଏସ ନିକଟରେ ରହିଛି ୨.୨% ଭୋଟ୍‌ ରହିଛି । ଏ ପରିସ୍ଥିତିରେ ବିଜେପିକୁ କେଉଁ ଆଞ୍ଚଳିକ ଦଳ ସମର୍ଥନ କରିବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ଏନଡିଏ ଓ ୟୁପିଏର ପ୍ରାର୍ଥୀ କିଏ ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ଜଣେ ଆଦିବାସୀ ନେତା କିମ୍ବା ନେତ୍ରୀଙ୍କୁ ଏନଡିଏ ପ୍ରାର୍ଥୀ କରିପାରେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ନୀତି ଅବଲମ୍ବନ କରିଆସୁଥିବା ବିଜେଡି ପ୍ରାର୍ଥୀ ଦେଖି ସମର୍ଥନ ନିଷ୍ପତ୍ତି ନେବ ବୋଲି ନବୀନ ପୂର୍ବରୁ ଜାତୀୟ ଗଣମାଧ୍ୟମକୁ କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.