Below header

ଗାଁରେ ବସିଲା କଙ୍ଗାରୁ କୋର୍ଟ, ଅନୈତିକ ସମ୍ପର୍କ ଅଭିଯୋଗ ପରେ ବିଧବା ମହିଳାଙ୍କ ମଥାରେ ସିନ୍ଦୂର ଦେଲେ ଯୁବକ

ବାଲେଶ୍ୱର (କେ ନ୍ୟୁଜ୍‌) : କଙ୍ଗାରୁ କୋର୍ଟର ଜିଦ୍‌ରେ ଜଣେ ବିଧବାଙ୍କ ମଥାରେ ସିନ୍ଦୂର ଦେଇଛନ୍ତି ଜଣେ ଯୁବକ । ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଘଟଣା । ଏଠାକାର ନଟାପଡା ଆଦିବାସୀ ଗାଁରେ ଜଣେ ଅସହାୟ ବିଧବା ମହିଳାଙ୍କୁ ଜଣେ ବିବାହିତ ବ୍ଯକ୍ତିଙ୍କ ସହ ବିବାହ କରାଇଛନ୍ତି ଗ୍ରାମବାସୀ । ଏହି ବିଧବା ମହିଳାଙ୍କ ଦୁଇଟି ଝିଅ ଓ ପୁଅ ଅଛନ୍ତି।

ନୀଳଗିରି ଚିମିନିଭାଟି ଗାଁର ବିଜୟ ମୁଖୀ ଓରଫ କାଳିଆ ଓ ବାଲେଶ୍ୱର କେଶରପୁର ଅଂଚଳର ଅନୁପ ସିଂ ବିଧବା ମହିଳାଙ୍କ ପାଖକୁ ଆସିଥିଲେ ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ତେବେ ପରଦିନ ପୁଣି ସ୍ଥାନୀୟ ଜଙ୍ଗଲରେ ଅନୁପ ସିଂ ବିଧବା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ନେଇ ଗାଁରେ ପ୍ରଚାର ହୋଇଥିଲା । ଯାହାକୁ ନେଇ ଗାଁରେ ଆରମ୍ଭ ହୋଇଥିଲା ତମ୍ବିତୋଫାନ। ଯୁବକ ଦୁଇଜଣ ପ୍ରଥମେ ଅଭିଯୋଗକୁ ଖଣ୍ଡନ କରିଥିଲେ । ପରେ ଗାଁର ସମ୍ମାନ ପାଇଁ ଗ୍ରାମବାସୀଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ଯେଉଁଥିରେ ମହିଳାଙ୍କ ସହ ଅନୈତିକ ସମ୍ପର୍କ କଥାକୁ ସ୍ୱୀକାର କରିଥିଲେ ।

ଶେଷରେ ବୈଠକରେ ଗ୍ରାମବାସୀ ନିର୍ଦ୍ଦେଶ ଦେଲେ ବିଧବା ମହିଳାଙ୍କୁ ଶଙ୍ଖା, ସିନ୍ଦୂର ଦେଇ ସଂପୃକ୍ତ ବ୍ଯକ୍ତିଙ୍କ ସହ ବାହା କରାଯିବ । ଘଟଣାକୁ ନେଇ ଗାଁରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଶେଷରେ ଅନୁପ ସିଂ ବିଧବା ମହିଳାଙ୍କ ମଥାରେ ସିନ୍ଦୂର ହାତରେ ଶଙ୍ଖା ପିନ୍ଧାଇ ଥିଲେ । ବ୍ଯକ୍ତି ଜଣକ ବିବାହିତ ହୋଇ ଘର ସଂସାର କରିଥିବା ବେଳେ ବିଧବାଙ୍କୁ ବିବାହ କରିବା ପରେ ପରିବାର କିଭଳି ଗ୍ରହଣ କରିବ ତାହାକୁ ନେଇ ପ୍ରଶ୍ନ ଏବେ ଉଠିଛି। ତେବେ ଏହି ଘଟଣାକୁ ନେଇ ଥାନାରେ କୈଣସି ମାମଲା ରୁଜୁ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.