ନିଆରା କିସମର ହଳଦିଆ ତରଭୁଜ ଚାଷ କରି ଆଜି କେନ୍ଦୁଝର ଜିଲ୍ଲାରେ ପରିଚିତ ପ୍ରମୋଦ, ରୋଜଗାର କରୁଛନ୍ତି ଭଲ ଦିପଇସା

କେନ୍ଦୁଝର(କେନ୍ୟୁଜ୍): ଖରାଦିନେ ତରଭୂଜ ଚାହିଦା ପୁରା ବଢିଯାଏ । ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟେ ଏହି ତରଭୂଜ । ଆପଣ ମାନେ ତ ଲାଲ୍‌ ତରଭୂଜର ମଜା ସମସ୍ତେ ନେଇଛନ୍ତି । ହେଲେ, କେବେ ହଳଦିଆ ତରଭୂଜ ଦେଖିଛନ୍ତି କି? ଦର୍ଶକବନ୍ଧୁ ଲାଲ୍ ତରଭୂଜ ଭଳି ହଳଦିଆ ତରଭୂଜ ବି ଏବେ ବଜାରରେ ଦେଖିବାକୁ ମିଳୁଛି। ଲାଲ ଠାରୁ ହଳଦିଆ ତରଭୂଜର ସ୍ୱାଦ ଓ ବାସ୍ନା ସ୍ୱତନ୍ତ୍ର । ହଳଦିଆ ତରଭୂଜ ଖାଇବାକୁ ଅତି ମିଠା, ଖୁସ୍‌ ଖୁସ୍‌ ଲାଗୁଥିବା ବେଳେ, ଏହାର ହଳଦିଆ ରଙ୍ଗ ମନକୁ କିଣିନିଏ । ଏପରି ନିଆରା କିସମର ତରଭୂଜ ଚାଷ କରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଇଚିଣ୍ଡା ଗାଁର ପ୍ରମୋଦ କୁମାର ମହାନ୍ତ ସମଗ୍ର ଜିଲ୍ଲା ପାଇଁ ପାଲଟିଛନ୍ତି ଉଦାହରଣ ।

ଦେଖନ୍ତୁ ବଗିଚାର ଫଳିଥିବା ଏହି ସବୁ ତରଭୂଜ । ଏହା ଉପର ସବୁଜ ଥିବା ବେଳେ, ଭିତର କିନ୍ତୁ ସମ୍ପୁର୍ଣ୍ଣ ହଳଦିଆ ରଙ୍ଗର । ନିଜେ ଆଖିରେ ନଦେଖିଲେ ବିଶ୍ଵାସ ହେବ ନାହିଁ । ଏଭଳି ନିଆରା ତରଭୂଜ ଚାଷ କରିଛନ୍ତି କେନ୍ଦୁଝର ଜିଲ୍ଲା ଇଚିଣ୍ଡା ଗାଁର ଯୁବଚାଷୀ ପ୍ରମୋଦ କୁମାର ମହାନ୍ତ । ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିଲେ, ହେଲେ, ଚାଷର ମୋହ ତାଙ୍କୁ ନିଜ ଗାଁକୁ ଫେରାଇ ଆଣିଥିଲା । କିଛି ନିଆରା ଚାଷ କରିବା ଲକ୍ଷ୍ୟ ନେଇ ସେ ସ୍ୱତନ୍ତ୍ର କିସମର ହଳଦିଆ ତରଭୂଜ ଚାଷ କରିବା ଆରମ୍ଭ କରିଥିଲେ । ଯେଉଁ ଲାଭ ଲକ୍ଷ୍ୟ ନେଇ ସେ ଚାଷ ଆରମ୍ଭ କରିଥିଲେ, ତାହା ପୂରଣ ହେବା ସହ ଅଞ୍ଚଳରେ ଖ୍ଯାତି ମଧ୍ୟ ପାଇ ପାରିଛନ୍ତି ପ୍ରମୋଦ । ଆଉ ଏହାର ନିଆରା ସ୍ୱାଦ ଆଖପାଖ ଅଞ୍ଚଳର ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରୁଛି ।

pramod

ଲାଲ୍‌ ତରଭୂଜ ଠାରୁ ହଳଦିଆ ତରଭୂଜର ଚାହିଦା ଗ୍ରାହକମାନଙ୍କ ମଧ୍ୟରେ ବେଶ୍‌ ଅଧିକ ଦେଖିବାକୁ ମିଳିଛି ଚଳିତବର୍ଷ । ଏହାର ଦାମ ମଧ୍ୟ ଟିକେ ଅଧିକ ମିଳିଥାଏ । ଯାହା ଫଳରେ, ଚାଷୀ ଓ ବେପାରୀ ଭଲ ଦିପଇସା ରୋଜଗାର କରିପାରୁଛନ୍ତି । ଏହା ତରଭୂଜ ରାଜ୍ଯ ଓ ରାଜ୍ଯ ବାହାରକୁ ରପ୍ତାନୀ ହୋଇ ପାରୁଛି । ରାଜ୍ଯ ସରକାରଙ୍କ ଉଠାଜଳସେଚନ ବିଭାଗର ବିକେୱାଇ ଡିବିଏସକେ ଯୋଜନାରେ ପ୍ରମୋଦ ୩ଲକ୍ଷ ୮୮ ହାଜାର ଟଙ୍କା ପାଇ ନିଜ ଚାଷକୁ ଜଳସେଚିତ କରି ପାରିଛନ୍ତି । ଯାହା ତାଙ୍କ ମୁହଁରେ ହସ ଫୁଟାଇ ପାରିଛି । କଥାରେ ଅଛି କିଛି କରିଦେଖାଇବାର ଇଚ୍ଛା ଥିଲେ ଜଣେ ସବୁ କିଛି କରିପାରିବ। ଯଦି ତାହା ଚାଷ କାର୍ଯ୍ଯ ହୁଏ ତେବେ ଖୁସି ଦ୍ବିଗୁଣିତ ହୋଇଯାଏ। କାହିଁକି ନା ପରିଶ୍ରମର ଫଳ ସୁନାର ଫସଲ ଦେଖି ହିଁ ମିଳିଥାଏ। ଆଉ ସେହି ଖୁସି ଆଜି ପ୍ରମୋଦଙ୍କ ମୁହଁକୁ ଦେଖି ବାରି ହୋଇପଡୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.