ଫେରିବ କି ଟିକ୍‌ଟକ୍‌ ? ଆମେରିକା କିଣିବାକୁ କରୁଛି ପ୍ରୟାସ

ଓ୍ଵାଶିଂଟନ୍‌ :  ଆମେରିକା କମ୍ପାନୀକୁ ଟିକ୍‌ଟକ୍‌ ବିକି ଆମେରିକାରେ ପ୍ରତିଷ୍ଠା କରିପାରେ ଟିକ୍‌ଟକ୍‌ ଆପ୍‌ । ଏହି ଯୋଜନା ଏବେ ଆପଣେଇବାକୁ ଯାଉଛନ୍ତି ଟିକ୍‌ଟକ୍‌ ପ୍ରତିଷ୍ଠାତା ଝାନ୍‌ ଇମିଙ୍ଗ୍‌ । ଯଦି ସବୁ ଠିକ୍‌ ଠାକ୍‌ ଚାଲେ ତେବେ ଖୁବ୍‌ ଶୀଘ୍ର ଆପଣଙ୍କ ମୋବାଇଲକୁ କମ୍‌ ବ୍ୟାକ୍‌ କରିପାରେ ଟିକ୍‌ଟକ୍‌ ।

ଭାରତରେ ଚାଇନା ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ ହେବା ପରେ ଆମେରିକାରେ ମଧ୍ୟ ଏହାକୁ ବ୍ୟାନ୍‌ କରିବା ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି । ଆମେରିକାରେ ଟିକ୍‌ଟକ୍‌ ବ୍ୟାନ ହେବା ନେଇ ଘୋଷଣା ପରେ ଟିକ୍‌ଟକ୍‌ କମ୍ପାନୀର ମାଲିକ ଝାନ୍‌ ଇମିଙ୍ଗ୍‌ ଏକ ବୃହତ କ୍ଷତିକୁ ଆଶଙ୍କା କରି ଡରି ଯାଇଛନ୍ତି । କମ୍ପାନୀକୁ ବଞ୍ଚାଇବାକୁ ଏବେ ସେ ଆମେରିକାର ଶିଳ୍ପପତିଙ୍କୁ ଏହାର ବଡ଼ ସେୟାର ବିକି ଦେବାକୁ ପ୍ରୟାସ କରୁଛନ୍ତି । ଯାହା ଦ୍ୱାରା ଟିକ୍‌ଟକ୍‌ ବଞ୍ଚିଯିବା ସହ ତାଙ୍କର ବ୍ୟବସାୟ ମଧ୍ୟ ତିଷ୍ଠି ରହି ପାରିବ ।

tiktok-15

ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବା ପରେ କମ୍ପାନୀ ପ୍ରାୟ ୬୫ ହଜାର ଡଲାର୍‌ କ୍ଷତି ସହିଥିଲା । ଏବେ ଆମେରିକାରେ ଯଦି ଟିକ୍‌ଟକ୍‌ ବ୍ୟାନ୍‌ ହୁଏ ତାହାଲେ କମ୍ପାନୀ ଶେଷ ହୋଇଯିବ ବୋଲି ଟିକ୍‌ଟକ୍‌ ର ପ୍ରତିଷ୍ଠାତା ଝାନ୍‌ ବୁଝି ସାରିଛନ୍ତି । ତେଣୁ ସେ ଏବେ ଆମେରିକାରେ କୈାଣସି ପ୍ରକାରରେ ଟିକ୍‌ଟକ୍‌କୁ ଜାରି ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକ୍‌ଟକ୍‌କୁ ଦେଶରେ ବ୍ୟାନ୍‌ କରିବାକୁ ଘୋଷଣା କରିବା ପରେ ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେହେତୁ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି, ତାହା ପୂର୍ବରୁ ଆମେରିକାରେ ଟିକ୍‌ଟକ୍‌ ଉପରେ ଟ୍ରମ୍ପ୍‌ କିଛି ନିଷ୍ପତ୍ତି ନେଇ ପାରନ୍ତି ।

ତେଣୁ ଏହା ପୂର୍ବରୁ ଆମେରିକାର ବ୍ୟକ୍ତିଙ୍କୁ ଏହାର ସେୟାର ବିକି କମ୍ପାନୀକୁ ଆମେରିକାରେ ଥଇଥାନ କରିବାକୁ ଟିକ୍‌ଟକ୍‌ ର ପ୍ରତିଷ୍ଠାତା ଝାଙ୍ଗ୍‌ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହା ସମ୍ଭବ ହେଲେ ଟିକ୍‌ଟକ୍‌ ବଞ୍ଚିଯିବା ସହ ଭଲ ବ୍ୟବସାୟ ମଧ୍ୟ କରିପାରିବ । ଏଥି ସହ ଆମେରିକା କମ୍ପାନୀ ଅଧୀନକୁ ଟିକ୍‌ଟକ୍‌ ଗଲେ ଭାରତରେ ମଧ୍ୟ ଏହା ପୁଣି ଚାଲି ପାରିବ ।

tiktok-0

ଟିକ୍‌ଟକ୍‌ ସେଥିପାଇଁ କମ୍ପାନୀକୁ ଆମେରିକାରେ ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି । କମ୍ପାନୀ ଯଦି ଆମେରିକାରେ ପ୍ରତିଷ୍ଠା ହୁଏ ତେବେ ସେଠାରେ ୧୦ ହଜାର ନୂଆ ଚାକିରି ସୃଷ୍ଟି ହେବା ସହ ଆମେରିକାକୁ ୨୦୦ ମିଳିୟନ୍‌ ଡଲାର ଫଣ୍ଡର ସହଯୋଗ ମଧ୍ୟ ମିଳିବ । ଟିକ୍‌ଟକ୍‌ କୁ କିଣିବା ନେଇ ଏବେ ଆମେରିକାରେ ବାଟ ସଫା ହେବାକୁ ଯାଉଛି । ଯଦି ସବୁ ଠିକ୍‌ ଠାକ୍‌ ହୁଏ ତେବେ ଖୁବ୍‌ ଶୀଘ୍ର ଟିକ୍‌ଟକ୍‌ ଆମେରିକାର ମାନ୍ୟତା ପାଇବ ।

ପ୍ରକାଶଯୋଗ୍ୟ ଯେ ଚୀନ୍‌ରୁ କରୋନା ଭାଇରସ୍‌ ସାରା ବିଶ୍ୱକୁ ସଂକ୍ରମିତ ହେବା ପରେ ଚୀନ୍‌ ସହ ଅଧିକାଂଶ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଏଥିସହ ଚୀନ୍‌ର ବିସ୍ତାରବାଦୀ ନୀତି ମଧ୍ୟ ତା’ର ପଡ଼ୋଶୀ ଦେଶ ସହ ଉତ୍ତେଜନା ସୃଷ୍ଟି କରିଛି । ଭାରତ ଓ ଚୀନ୍‌ ସୀମାରେ ସଂଘର୍ଷ ପରେ ଭାରତ ତା’ର କୁଟନୀତିରେ ପରିବର୍ତ୍ତନ ଆଣିଛି । ଫଳ ସ୍ୱରୁପ ଭାରତ ଚାଇନା ଆପ୍‌ ଟିକ୍‌ ଟକ୍‌ ସହ ୫୯ ଟି ଆପ୍‌କୁ ବ୍ୟାନ୍‌ କରିଥିଲା । ଏହା ପରେ ଆମେରିକା ମଧ୍ୟ ଦେଶରୁ ସୁରକ୍ଷା ସମ୍ପର୍କିତ ତଥ୍ୟ ଚୋରୀ ହେବା ଦର୍ଶାଇ ଚାଇନା ଆପ୍‌ ଟିକ୍‌ଟକ୍‌କୁ ଦେଶରେ ବ୍ୟାନ୍‌ କରିବାକୁ ଚିନ୍ତା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.