କେନ୍ଦ୍ରାପଡ଼ାରେ ମହାଲଢେଇ, ଦେଖନ୍ତୁ ବିଜୁ ବାବୁଙ୍କ କର୍ମଭୂମିର ରାଜନୈତିକ ଇତିହାସ

କେନ୍ଦ୍ରାପଡ଼ା : ୨୦୧୯ର ସବୁଠାରୁ ହାଇପ୍ରୋଫାଇଲ ଲୋକସଭା କ୍ଷେତ୍ର ପାଲଟିଯାଇଛି କେନ୍ଦ୍ରପଡ଼ା। କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଓ ଅନୁଭବ ମହାନ୍ତି ଲଢେଇ। ବିଜୁ ବାବୁଙ୍କ କର୍ମଭୂମିରେ ଏଥର ଲୋକପ୍ରିୟ ଅଭିନେତାଙ୍କୁ ଟକ୍କର ଦେବେ ବୈଜୟନ୍ତ ପଣ୍ଡା। ଏଠି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଜଣାଶୁଣା ଆଇନ୍‌ଜୀବୀ ଧରଣୀଧର ନାୟକ। ସେପଟେ ବିଜେଡିରୁ ବିଜେପିକୁ ଯାଇଛନ୍ତି ବୈଜୟନ୍ତ। ଆଉ ରାଜ୍ୟସଭା ସଦସ୍ୟ ଥିବା ଅନୁଭବ ଏବେ ପ୍ରତ୍ୟକ୍ଷ ରାଜନୀତିର ଅନୁଭୁତି ସାଉଁଟିବେ।

ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରପଡ଼ା। ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ୪ଟି ଯାକ ଲୋକସଭା ନିର୍ବାଚନରେ, ବିଜେଡିର ଅଭେଦ୍ୟ ଦୁର୍ଗ ହୋଇ ରହିଛି କେନ୍ଦ୍ରପଡ଼ା। ୧୯୯୯ରେ ବିଜେଡିର ପ୍ରଭାତ ସାମନ୍ତରାୟ କଂଗ୍ରେସର ଅର୍ଚ୍ଚନା ନାୟକଙ୍କୁ ହରାଇଥିଲେ। ୨୦୦୪ରେ କଂଗ୍ରେସର ଅର୍ଚ୍ଚନା ଆସି ବିଜେଡିର ପ୍ରାର୍ଥୀ ହେଲେ। ସେତେବେଳେ କଂଗ୍ରେସର ପ୍ରାର୍ଥୀ ଥିଲେ ଶ୍ରୀକାନ୍ତ ଜେନା। ବିଜୁଙ୍କ ଘନିଷ୍ଠ ସହଯୋଗୀ ଥିବା ଶ୍ରୀକାନ୍ତ, ବିଜୁ ଜନତା ଦଳକୁ ଟକ୍କର ଦେଲେ। ସେ ସମୟରେ କେନ୍ଦ୍ରପଡା ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଲଢେଇ ପାଲଟି ଯାଇଥିଲା। କୁହାଗଲା ଶ୍ରୀକାନ୍ତଙ୍କ ପଲ୍ଲା ଭାରି ରହିଛି। କିନ୍ତୁ ବିଜୁ ଲିଗାସିକୁ ଛାଡି ଦେଇଥିବା ଶ୍ରୀକାନ୍ତଙ୍କୁ ପ୍ରତ୍ୟାଖାନ କରିଥିଲେ କେନ୍ଦ୍ରପଡ଼ା ବାସୀ। ଜିତିଥିଲେ ଅର୍ଚ୍ଚନା ନାୟକ। ଅର୍ଚ୍ଚନାଙ୍କୁ ୫୪ ପ୍ରତିଶତ ଭୋଟ ମିଳିଥିବା ବେଳେ ଶ୍ରୀକାନ୍ତଙ୍କୁ ମିଳିଥିଲା ୪୪ ପ୍ରତିଶତ ଭୋଟ। ଶ୍ରୀକାନ୍ତ ହାରିବା ପରେ ଆଉ କେନ୍ଦ୍ରପଡା ଫେରି ନଥିଲେ। ୨୦୦୯ରେ ବାଲେଶ୍ୱରରୁ ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ ଶ୍ରୀକାନ୍ତ ଜେନା। ୨୦୦୯ରେ ବୈଜୟନ୍ତ ଆସିଥିଲେ କେନ୍ଦ୍ରାପଡ଼ା। ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବୈଜୟନ୍ତ। ବିଜେଡିରେ ରହି ସେ ନବୀନଙ୍କ ଭରସାରେ ଲଗାତର ୨୦୦୯ ଓ ୨୦୧୪ ଦୁଇଟି ନିର୍ବାଚନ ଜିତିଲେ। ୧୯୯୯ରୁ ୨୦୧୪ ଯେତେଟି ନିର୍ବାଚନ ହୋଇଛି ସବୁଥିରେ ବିଜେଡି ୫୦ ପ୍ରତିଶତ ଉପରେ ଭୋଟ ପାଇଛି। ୧୯୯୯ରେ ୫୮ ପ୍ରତିଶତ, ୨୦୦୪ରେ ୫୪ ପ୍ରତିଶତ, ୨୦୦୯ରେ ୫୧ ପ୍ରତିଶତ ଓ ୨୦୧୪ରେ ବିଜେଡିକୁ ମିଳିଥିଲା ୫୩ ପ୍ରତିଶତ ଭୋଟ୍‌। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରଥମ ରହିଥିବା ବେଳେ ଦ୍ୱିତୀୟରେ ରହିଥିଲା କଂଗ୍ରେସ। ବିଜେପି ପ୍ରାର୍ଥୀ ଅମାନତ ହରାଇଥିଲେ। ୨୦୦୯ରେ ବିଜେପିର ଜ୍ଞାନଦେବ ବେଉରାଙ୍କୁ ମିଳିଥିଲା ୮୦ ହଜାର ୩୯୨ ଭୋଟ୍‌। ୨୦୧୪ରେ ବିଜେପି ପ୍ରାର୍ଥୀ ବିଷ୍ଣପ୍ରସାଦ ଦାସଙ୍କୁ ମିଳିଥିଲା ୧ ଲକ୍ଷ ୧୮ ହଜାର ଭୋଟ୍‌।

୨୦୧୯ର ଅଙ୍କ କିନ୍ତୁ ଅଲଗା। ସାଲେପୁର ବିଧାୟକ ଥିବା ପ୍ରକାଶ ବେହେରା କଂଗ୍ରେସ ଛାଡି ବିଜେପିର ପ୍ରାର୍ଥୀ ହୋଇଛନ୍ତି। ପଦ୍ମ ଛାଡିଥିବା ବିଜୟ ମହାପାତ୍ର ପୁଣି ବିଜେପି ଫେରିଛନ୍ତି। ମାହାଙ୍ଗାର ବରିଷ୍ଠ ନେତା ସାରଦା ପ୍ରଧାନ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ସାଲେପୁରରେ ବିଜେପିର ପ୍ରକାଶ ବେହେରା ଓ ବିଜେଡିର ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ ଲଢେଇ ହେବ। ମାହାଙ୍ଗାରେ ପ୍ରତାପ ଜେନା ଓ ସାରଦା ପ୍ରଧାନ ମୁକାବିଲା କରିବେ। ଏହା ସହ ପାଟକୁରା, ମହାକାଳପଡ଼ା, କେନ୍ଦ୍ରାପଡା, ଆଳି ଓ ରାଜନଗରର ସ୍ଥିତି ଉପରେ ନିର୍ଭର କରିବ କେନ୍ଦ୍ରପଡ଼ା ଲୋକସଭାର ଭାଗ୍ୟ। ନେତାଙ୍କ ଦଳ ବଦଳ ଓ ପୁରୁଖା ନେତାଙ୍କ ପତିଆରା କେତେ ଦୂର ଭୋଟରଙ୍କୁ ପ୍ରଭାବିତ କରିବ ସେକଥା ଦେଖିବା ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.