ସରି ସରି ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର : ପ୍ରାର୍ଥୀ, ସମର୍ଥକ ଓ ଷ୍ଟାର୍‌ ପ୍ରଚାରକଙ୍କ ହାଇଭୋଲଟେଜ କ୍ୟାମ୍ପେନ୍‌

ସାରସକଣାରୁ ସାଲେପୁର। ମୋରଡ଼ାରୁ ମହାକାଳପଡ଼ା । ଏବେ ଉଠୁଛି ପଡୁଛି। ସୂର୍ଯ୍ୟ ତାତିରୁ ବି ବଳିଯାଇଛି ନିର୍ବାଚନ ପ୍ରଚାର ତାତି। ମୈଦାନରେ ଷ୍ଟାର ପ୍ରଚାରକ। ଭୋଟରଙ୍କ ମନ ଜିଣିବାକୁ କେତେ କଣ ଫନ୍ଦି ଫିକର କରୁଛନ୍ତି ପ୍ରାର୍ଥୀ। ସଭା, ଶୋଭାଯାତ୍ରା ଓ ରୋଡ୍‌ ସୋ ପୁଣି କେଉଁଠି ପଥପ୍ରାନ୍ଥ ସଭା । ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ବିଜେଡି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ଅମର ସିଂ ଟୁଡୁଙ୍କ ପାଇଁ ଭୋଟ୍‌ ମାଗିଛନ୍ତି । ସେହିପରି ସାନ୍ତାଳି ଅଭିନେତା ଓ ଅଭିନେତ୍ରୀ ବିଜେଡି ପାଇଁ ସାରସକଣାରେ କ୍ୟାମ୍ପେନ୍‌ କରିଛନ୍ତି।

ଦୁଲୁକୁଛି ଜଗତସିଂହପୁରରୁ ଯାଜପୁର ସଂସଦୀୟ କ୍ଷେତ୍ର। ହାଇଭୋଲଟେଜ୍‌ ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ ଓ ସମର୍ଥକ। କମ୍ପୁଛି ଗାଁଗଣ୍ଡା, ସହରବଜାର। ବାଇକ୍‌ ରାଲି, ପଦଯାତ୍ରାରେ ଭୋଟ ସାଉଁଟିବାରେ ମାତିଛନ୍ତି ନେତା। ଜଗତସିଂହପୁରରେ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ଭଦ୍ରକରେ ବି ରଣନୀତି ସହ ଦମ୍‌ ଦେଖାଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। କେଉଁଠି କ୍ୟାମ୍ପେନ୍‌ ଫେସ୍‌ ପାଲଟିଛନ୍ତି ଓଲିଉଡ୍‌ ଷ୍ଟାର୍‌।

ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ରେ ଫୋକସରେ ରହିଛି କେନ୍ଦ୍ରାପଡ଼ା। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କ୍ୟାମ୍ପେନ୍‌ ରେସ୍‌। ତୁଳସୀ କ୍ଷେତ୍ରରେ ଡେରା ପକାଇଛନ୍ତି ସବୁ ଦଳର ହେଭିେଓ୍ଵଟ୍‌। ପ୍ରଚାର ପାଇଁ ଦିନରାତି ଏକାକାର କରିଦେଇଛନ୍ତି ପ୍ରାର୍ଥୀ। ହାତରେ ଆଉ ବେଶୀ ସମୟ ନାହିଁ। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଅହରହ ଉଦ୍ୟମ ଚାଲିଛି।

ନିର୍ବାଚନ ପ୍ରଚାର ବେଳେ ବିଜେଡି ଦେଉଛି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ଓ ବିକାଶର ପ୍ରତିଶ୍ରୁତି। କଂଗ୍ରେସ ମିନିମମ୍‌ ଇନକମ୍‌ ଗ୍ୟାରେଣ୍ଟି ଦେଉଥିବା ବେଳେ ବିଜେପି ପରିବର୍ତ୍ତନର ଆହ୍ଵାନ ଦେଇ ପ୍ରଚାରକୁ ସରଗରମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.