ବିଜେଡି ସରକାରକୁ ଆସିଲେ ପ୍ରଥମ ଦିନରେ ବଳକା ୨୫ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦ ହଜାର ଟଙ୍କା କାଳିଆ ସହାୟତା, ଘୋଷଣା କଲେ ନବୀନ

ଭୁବନେଶ୍ବର : ବିଜେଡି ସରକାରକୁ ଆସିଲେ, ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ଦେବ ବକେୟା ୧୦ ହଜାର ଟଙ୍କା କାଳିଆ ସହାୟତା । ଦୁଇଟି କିସ୍ତି ଟଙ୍କା ଏକାଥରକେ ପ୍ରଦାନ କରାଯିବ। ଜୟପୁର ନିର୍ବାଚନ ସଭାରେ ଏହି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ବିଜେଡି ନିର୍ବାଚନ ଇସ୍ତାହାରର ଏକ ନମ୍ବର ଏଜେଣ୍ଡାରେ ରହିଛି କୃଷକ କଲ୍ୟାଣ। ଏପର୍ଯ୍ୟନ୍ତ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ପ୍ରସ୍ତୁତ ହୋଇଛି ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା । ସେମାନେ ସମସ୍ତେ ଯୋଜନାର ସୁଫଳ ପାଇବେ। କେହି ବି ବାଦ୍‌ ପଡ଼ିବେ ନାହିଁ।

ଆଜି ଲାଲଗଡ଼ରେ ପ୍ରଚାର ଶଙ୍ଖ ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାରାଥନ୍‌ କ୍ୟାମ୍ପେନ୍‌ କରିଥିଲେ ନବୀନ । ପ୍ରଥମେ ପହଞ୍ଚିଥିଲେ କାଲିମେଳାରେ। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ଓ କେନ୍ଦ୍ର ଉପରେ ବର୍ଷିଥିଲେ। ନବୀନ କହିଥିଲେ, ବନ୍ୟା ବାତ୍ୟା ବେଳେ ଦେଖାଦେଲେନି। ଭୋଟ ସମୟରେ ବିଜେପିର ବଡ଼ ବଡ଼ ନେତାମାନେ ଆସିବେ। ତାପରେ ଦେଖା ମିଳିବ ନାହିଁ। ଓଡ଼ିଶା ପାଇଁ ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଶ୍ନ କରିଥିଲେ, କେବିକେ ଯୋଜନା ବନ୍ଦ କଲା କିଏ ? ଗରିବ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ମେଧାବୃତ୍ତି ବନ୍ଦ କଲା କେନ୍ଦ୍ର। ନବୀନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆବାସୀ ମୋ ପରିବାର। ମୁଁ ଆପଣମାନଙ୍କ ସହିତ ରହିଛି ଓ ରହିବି। ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଭୋଟ୍‌ ନିଆଯିବ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି କ୍ୟାମ୍ପେନ କରିଛନ୍ତି ନବୀନ । କାଲିମେଳା, ମାଥିଲି, ପଟ୍ଟାଙ୍ଗୀ, ଦଶମନ୍ତପୁରରେ ମାରାଥନ୍‌ ପ୍ରଚାର କରିଛନ୍ତି। ଦିନ ପାଖେଇବା ସହ ବିଜେଡି ନେତା, କର୍ମୀ ଓ ଭୋଟର ଉତ୍ସାହିତ ଅଛନ୍ତି।

କୋରାପୁଟ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅଛନ୍ତି କୌଶଲ୍ୟା ହିକକା । କୋରାପୁଟର ବିଧାନସଭାର ପାଇଁ ରଘୁରମା ପଡେଲ, ପଟ୍ଟାଙ୍ଗୀରେ ପ୍ରୀତମ ପାଢୀ, ଲକ୍ଷ୍ମୀପୁରରେ ପ୍ରଭୁ ଜାନୀ, ଜୟପୁରରେ ରବି ନାରାୟଣ ନନ୍ଦ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେହିପରି ମାଲାନଗିରିରୁ ପ୍ରାର୍ଥୀ ଅଛନ୍ତି ମୁକୁନ୍ଦ ସୋଡି ଓ ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ବାକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.