ଓଡ଼ିଶାର ସେହି ସୁଯୋଗ୍ୟ ବରପୁତ୍ର ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଅବସରରେ…….

ସମଗ୍ର ଭାରତବର୍ଷରେ ଯେଉଁ କେତେଜଣ ଯୋଗଜନ୍ମା, ସୁଯୋଗ୍ୟ ସନ୍ତାନ ଜନ୍ମ ନେଇଥିଲେ ସେମାନଙ୍କ ଭିତରେ ଜଣେ ଥିଲେ ବିଜୟାନନ୍ଦ ପଟ୍ଟନାୟକ ବା ଆମର ପ୍ରିୟ ବିଜୁ ବାବୁ । ତାଙ୍କ ଅନୁଯାୟୀ ତାଙ୍କ ପିଲା ବେଳର ସ୍ବପ୍ନ ହିଁ ତାଙ୍କୁ ଆଜି ବିଜୟାନନ୍ଦରୁ ବିଜୁ ବାବୁ ଭାବେ ଗଢି ତୋଳିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଜନ୍ମ ହୁଏ ଆଜକୁ ୧୦୪ ବର୍ଷ ତଳେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଠାରୁ ୮୦ କିମି ଦୂରରେ ଅବସ୍ଥିତ ବେଲଗୁଣ୍ଠାର ଜି. ନୂଆଗାଁରେ ।  ପିତାଙ୍କ ନାମ ଲକ୍ଷ୍ମୀନାରାୟଣ ପଟନାୟକ ଥିବା ବେଳେ ମାଙ୍କ ନାଁ ଥିଲା ଆଶାଲତା ପଟ୍ଟନାୟକ । ପିଲାଦିନର ଏକ ବିଶେଷ ଘଟଣା ତାଙ୍କ ମନରେ ପାଇଲଟ ହେବାକୁ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା । ଦିନେ ବାଳକ ବିଜୁ କଟକ କିଲା ପଡିଆରେ ଛିଡା ହୋଇଥିବା ବିମାନଟିକୁ ଛୁଇଁବାକୁ ଯାଇ ଗୋରା ସାହାବ ମାନଙ୍କ ଠାରୁ ନିର୍ଦ୍ଦୁମ ମାଡ଼ ଖାଇଥିଲେ ।

biju babu

ସେହି ଦିନ ହିଁ ନିଜ ଭିତରେ ପାଇଲଟ ହେବାର ଛୋଟିଆ ଦ୍ରୁମ ଟିକୁ ଜନ୍ମ ଦେଇଥିଲେ ବିଜୁ ବାବୁ । ସେହି କାରଣରୁ ହିଁ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ବିଜୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ମଧ୍ୟ ନିଜ ବିମାନ ଉଡାଣର ଇଛାକୁ ପୂରଣ କରିବା ପାଇଁ ଅଧାରୁ ପାଠପଢା ଛାଡି ପାଇଲଟ ପାଇଁ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ପାଇବା ପରେ ପ୍ରଥମେ ଏକ ବେସରକାରୀ ଵିମାନ କମ୍ପାନୀ ଅଧୀନରେ କାମ କରିଥିବା ବେଳେ ଦ୍ଵିତୀୟ ବିଶ୍ୱ ଯୁଦ୍ଦ ସମୟରେ ‘ରୟାଲ ଇଣ୍ଡିଆନ ଏୟାରଫୋର୍ସ’ରେ ଯୋଗ ଦେଇଥିଲେ । ଭାରତର ପଡୋଶୀ ରାଷ୍ଟ୍ର ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବି ବିଜୁ ବାବୁ ଙ୍କର ଏକ ପ୍ରମୁଖ ଯୋଗଦାନ ଥିଲା । ଏହି ସମୟରେ ହିଁ ଜବାହାରଲାଲ ନେହେରୁ ଓ ତାଙ୍କର ଏକା ଘନିଷ୍ଠ ବନ୍ଧୁତା ସ୍ଥାପନ ହୋଇଥିଲା । ନେହେରୁ ବି ବିଜୁ ବାବୁଙ୍କ ଭଳି ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମକୁ ସମାନ ଗୁରୁତ୍ୱ ଦେଇଥିଲେ ।

biju babu

ବିଜୁବାବୁଙ୍କ ସାହାସିକତାର କୌଣସି ପଟାନ୍ତର ନାହିଁ । ତାଙ୍କ ଦୁଃସାହସିକ ପଦକ୍ଷେପ ବିଶ୍ୱ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ଅଛି । ସେ ସମୟରେ ଡଚ ସରକାରଙ୍କ ଆଖିରେ ଧୂଳି ଦେଇ ମହମ୍ମଦ ହଟା ଓ ସୁଲତାନ ସହରିୟାଙ୍କୁ ଉଦ୍ଧାର କରି ବିଶ୍ୱବାସୀଙ୍କ ସାମ୍ନାରେ ସେହି ଦିନ ହିଁ ଓଡ଼ିଶାର ଏହି ବରପୁତ୍ର ନିଜ ସାହାସିକତାର ପରିଚୟ ଦେଇଥିଲେ । ଏହି କାରଣରୁ ହିଁ ତାଙ୍କୁ ଇଣ୍ଡୋନେସିଆର ସର୍ବଶ୍ରେଷ୍ଠ ଉପାଧି ‘ଭୂମିପୁତ୍ର’ ଓ ସର୍ବଶ୍ରେଷ୍ଠ ‘ବିନତମଜସୁ ଉତ୍ତମ’ ସମ୍ମାନିତ କରାଯାଇଥିଲା । ସାହସୀ, ନିର୍ଭିକ ବିଜୁଙ୍କର କିନ୍ତୁ ଧନ ପ୍ରତି ତିଳେ ମାତ୍ର ଲୋଭ ନଥିଲା । ଇଣ୍ଡୋନେସିଆ ରାଷ୍ଟ୍ରପତି ଶୁକର୍ନ ତାଙ୍କୁ ୫ ଶହ କୋଟି ଟଙ୍କାର ସମ୍ପତ୍ତି ଭେଟି ଦେଇଥିଲେ ମଧ୍ୟ ବିଜୁ ସ୍ଵହୃଦୟରେ ତାହାକୁ ଗ୍ରହଣ କରିନଥିଲେ ।

biju babu

ବିଜୁ ବାବୁଙ୍କ ଅଦମ୍ୟ ସାହସର ପରିଚୟ ଅନ୍ୟ ଏକ ଘଟଣାରୁ ବି ସ୍ପଷ୍ଟ ହୁଏ । ଭାରତୀୟ ମୁକ୍ତି ସଂଗ୍ରାମ ସମୟରେ ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀ, ରାମ ମନୋହର ଲୋହିଆ ଭଳି ମୁକ୍ତି ସଂଗ୍ରାମୀଙ୍କୁ ଇଂରେଜ ମାନଙ୍କ ଆଖିରେ ଧୂଳିଦେଇ ବିମାନ ଜରିଆରେ ସ୍ଥାନାନ୍ତର କରିଥିଲେ । ଏଥିପାଇଁ କିନ୍ତୁ ତାଙ୍କୁ ଇଂରେଜ ସରକାରଙ୍କ ରୋଷର ଶିକାର ହୋଇ ଜେଲଦଣ୍ଡ ଭୋଗିବାକୁ ପଡିଥିଲା । ୧୯୬୨ ଭାରତ- ଚୀନ ଯୁଦ୍ଧ ସମୟରେ ଘନ କୁହୁଡି, ବରଫ ପାତ, ଘଞ୍ଚ ଅରଣ୍ୟରେ ପରିପୁର୍ଣ୍ଣ ମାକମୋହନ ଲାଇନସ୍ଥ ଟାକ୍ସିଙ୍ଗ ଅଂଚଳକୁ ସେସମୟର ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନଙ୍କୁ ଉଡାଣ କରୁଥିବା ଭାରତୀୟ ସୈନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।

biju babu

ଖାଲି ସାହାସିକତା ନୁହେଁ ସେବା ପାଇଁ ବିଜୁ ନିଜକୁ ଉତ୍ସର୍ଗ କରିଥିଲେ ସେ । ୧୯୩୦ ମସିହାର ଏକ ଛୋଟ ଘଟଣାରୁ ଏହା ବେଶ ବାରି ହୋଇପଡେ । ୧୯୩୦ ମସିହା ବନ୍ୟାରେ ଗୋପବନ୍ଧୁ ଚୁଡା, ଚାଉଳ ସମେତ ଅନ୍ୟାନ ଆବଶ୍ୟକ ସାମଗ୍ରୀ ଧରି ରିଲିଫ ବାଣ୍ଟିବା ପାଇଁ ବାହାରି ପଡିଥିବା ବେଳେ ହଠାତ ସେ ଧରିଥିବା ଛତାଟି ଉଡି ନଦୀରେ ପଡି ଯାଇଥିଲା । କିନ୍ତୁ କିଶୋର ବିଜୁ ନିଜ ଜୀବନକୁ ବାଜି ଲଗାଇ ସେହି ଛତା ଟିକୁ ଉଦ୍ଧାର କରି ଆଣିଥିଲେ । ବିଜୁଙ୍କ ଛାତିରେ ଯେମିତି ସ୍ପନ୍ଦିତ ହେଉଥିଲା ଗୋଟିଏ ଶବ୍ଦ, ‘ମୁଁ ଓଡିଶାକୁ ଭଲ ପାଏ, ଓଡିଶା ମୋତେ ଭଲ ପାଏ’ । ନିଜ ମାଟି ପ୍ରତି ଭଲ ପାଇବା ହିଁ ତାଙ୍କୁ ଏକାଧାରାରେ ଗଢି ତୋଳିଥିଲା ଜଣେ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଜଣେ ବୈମାନିକ ଭାବରେ । ଆଜି ସେହି ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନଙ୍କ ୧୦୪ ତମ ଜନ୍ମ ଦିବସରେ ଓଡ଼ିଶାର ପ୍ରତି ହୃଦୟରୁ ତାଙ୍କୁ ବିନୀତ ପ୍ରଣାମ । ଭବିଷ୍ୟତରେ ଏହି ମାଟି ଯେ ଏମିତି ଜଣେ ବରପୁତ୍ରଙ୍କୁ ଜନ୍ମ ଦେବ ତାହା ସନ୍ଦେହଯୁକ୍ତ ।

Leave A Reply

Your email address will not be published.