ହରିୟାଣା ସରକାର ନେଲେ ଏପରି ନିଷ୍ପତ୍ତି, ଦ୍ୱିଗୁଣ ହେଲା କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା
ପ୍ରାଣଘାତୀ କରୋନା ଏବଂ ଲକଡାଉନ ଚାଲିଥିବା ସମୟରେ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର , ନର୍ସ ତଥା ପାରାମେଡିକାଲ୍ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ।
କେବଳ କରୋନା ଭାଇରସ୍ ବିରୋଧରେ ପ୍ରତ୍ୟକ୍ଷ ଭାବେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନେ ହିଁ ଏହି ବର୍ଦ୍ଧିତ ବେତନ ପାଇବାକୁ ହକଦାର ବୋଲି ସେ କହିଛନ୍ତି। ଏମାନଙ୍କ ସହିତ ରାଜ୍ୟର ପ୍ରମୁଖ ଡାକ୍ତର, ହସପିଟାଲ ସଂଚାଳନ ଏବଂ ଡାକ୍ତର ଆସୋସିଏସନ ର ପଦାଧିକାରୀଙ୍କ ବିଷୟରେ ମଧ୍ୟ ବିଚାର କରାଯାଉଛି ବୋଲି ମଖ୍ରମନ୍ତ୍ରୀ କହିଛନ୍ତି। ଏହାଛଡ଼ା, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟକ୍ଷ ଭାବେ ଲଢ଼େଇରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର ୩୦ ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।
ଏହା ପୂର୍ବରୁ ହରିୟାଣା ସରକାର କେନ୍ଦ୍ର ସରକାରଙ୍କ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ଥିବା କର୍ମଚାରୀଙ୍କୁ ମଧ୍ୟ ବୀମା ଦେବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ୫୦ ଳକ୍ଷ ଡାକ୍ତର, ୨୦ ପାରାମେଡିକାଲ କର୍ମଚାରୀ, ୩୦ ଲକ୍ଷ ନର୍ସ ଏବଂ ୧୦ ଲକ୍ଷ ଗ୍ରୁପ ଡି କର୍ମଚାରୀଙ୍କୁ ଇନ୍ସୁରାନ୍ସ କଭର ମିଳିବ।