କରୋନା ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ସହ କଳାକାରମାନେ ମଧ୍ୟ ହାତ ମିଳାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ସରକାରଙ୍କୁ ଅର୍ଥ ଦାନ କରୁଛନ୍ତି। ତେବେ ସରକାରଙ୍କ ସହାୟତା କରିବାକୁ କଳାକାର ମାନେ ମେ ୩ ତାରିଖରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି। ଏଥିରେ କଳାକାରମାନେ କରୋନା ପାଇଁ ଚାନ୍ଦା ଆଦାୟ କରି ସରକାରଙ୍କୁ ଦେବେ ବୋଲି ଜଣାଯାଇଛି।
ଫେସବୁକ ମାଧ୍ୟମରେ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରିବା ଲକ୍ଷ୍ୟରେ “ଆଇ ଫର ଇ ଇଣ୍ଡିଆ” କାର୍ଯ୍ୟକ୍ରମ ପାଇଁ ଭାରତୀୟ ମନୋରଞ୍ଜନ ଜଗତ କିଛି ବଡ଼ ବଡ଼ କଳାକାରଙ୍କ ସହ ଚୁକ୍ତି କରିଛି। ଏଥିରୁ ଆଦାୟ ହେବାକୁ ଥିବା ରାଶି “ଗିଭ ଇଣ୍ଡିଆ” ଦ୍ୱାରା ପରିଚାଳିତ “ଭାରତ କୋଭିଡ ପ୍ରତିକ୍ରିୟା କୋଷ” କୁ ଦିଆଯିବ।
ଏହି କାର୍ଯ୍ୟକ୍ରମର ୩ଟି ଲକ୍ଷ୍ୟ ରହିଛି। ଘରେ ବନ୍ଦ ଥିବା ଲୋକଙ୍କ ମନୋରଞ୍ଜନ କରିବା, ସେବା କରୁଥିବା ଲୋକଙ୍କୁ ସମ୍ମାନିତ କରିବା ଓ ଅସହାୟଙ୍କୁ ଖାଦ୍ୟ ଦେବା। ଏହି ୪ ଘଣ୍ଟାର କାର୍ଯ୍ୟକ୍ରମ ମେ ୩ ରେ ଫେସବୁକରେ ଲାଇଭ ହେବ।
କାର୍ଯ୍ୟକ୍ରମରେ ଅମୀର ଖାନ, ଶାହରୁଖ ଖାନ, ଅଭିଷେକ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ରିତିକ ରୋଶନ, କରିନା କପୁର ଖାନ, ବିଦ୍ୟା ବାଲାନ, ସବାନା ଆଜମି, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆଲିଆ ଭଟ୍ଟ, ଅର୍ଜୁନ କପୁର, ସୈଫ ଅଲି ଖାନ, ରାଣୀ ମୁଖାର୍ଜୀ, ମାଧୁରୀ ଦୀକ୍ଷିତ, ଅକ୍ଷୟ କୁମାର, ଦିଲଜିତ ଦୋସାଞ୍ଝ, ଦଲକେର ସଲମାନ, କ୍ୟାଟ୍ରିନା କୈଫ, ବିକି କୌଶଳ, ଅନୁଷ୍କା ଶର୍ମା, ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ ଓ ସୋଫି ଟର୍ନର ପ୍ରମୁଖ ସାମିଲ ହେବେ। ଏଥିସହ ଖେଳ ଜଗତର ବିରାଟ କୋହଲି, ସାନିଆ ମିର୍ଜା ଓ ରୋହିତ ଶର୍ମା ମଧ୍ୟ ଯୋଗ ଦେବେ ବୋଲି ଜଣାଯାଇଛି।