ହାର୍ଟ ବା ହୃତ୍ପିଣ୍ଡ, ଶରୀରର ଏକ ଏଭଳି ଅଙ୍ଗ ଯାହା ମଣିଷକୁ ଜୀବିତ ରଖିଥାଏ। ଶରୀରର ସବୁ ଅଙ୍ଗ ଅଚଳ ହୋଇଗଲେ ଚଳିବ, କିନ୍ତୁ ହାର୍ଟ ଚାଲୁଥିବା ଦରକାର। ଥରେ ଯଦି ଏହି ହାର୍ଟ ବିଟ୍ ବନ୍ଦ ହୋଇଯାଏ ତେବେ ବ୍ୟକ୍ତିକୁ ମୃତ ବୋଲି ଘୋଷିତ କରାଯାଏ। କିନ୍ତୁ ଜଣେ ଏମିତି ବି ବ୍ୟକ୍ତି ଅଛନ୍ତି, ଯାହାର ହାର୍ଟ ବିଟ୍ ବନ୍ଦ ହୋଇଯାଇଥିଲେ ମଧ୍ୟ ସେ ବଞ୍ଚିଛନ୍ତି।
ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୫୫ ବର୍ଷୀୟ କ୍ରେଗ୍ ଲୁଇସ୍। ଲୁଇସ୍ ୨୦୧୧ ମସିହାରୁ ଏମାଇଲାୟଡାସିସ୍ ନାମକ ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଅଛନ୍ତି। ଏହା ଏକ ଅଟୋ ଇମ୍ୟୁନ୍ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ତନ୍ତ୍ର ଶରୀର ବିପକ୍ଷରେ ହିଁ କାମ କରିଥାଏ। ଏହା ରୋଗରୁ ରକ୍ଷା କରିବା ପରିବର୍ତ୍ତେ ଶରୀରକୁ ଆହୁରି ଅଧିକ ଅସୁସ୍ଥ କରାଇଦିଏ। ଠିକ୍ ସମୟରେ ଏହି ରୋଗର ଚିକିତ୍ସା କରାନଗଲେ ରୋଗୀର ଜୀବନ ମଧ୍ୟ ଯାଇପାରେ।
ତେବେ ଏତେ ସାଂଘାତିକ ରୋଗ ହୋଇଥିବା ଜାଣିବା ପରେ ଲୁଇସ୍ ପ୍ରଥମେ ଭାଙ୍ଗିପଡ଼ିଥିଲେ। କିନ୍ତୁ ବଞ୍ଚିବାର ଆଶା ମରିନଥିଲା। ସେ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବାକୁ ମନସ୍ଥ କରିଥିଲେ। ଏଣୁ ଚିକିତ୍ସା ପାଇଁ ଆଡ୍ମିଟ୍ ହୋଇଥିଲେ ଟେକ୍ସାସ୍ର ହାର୍ଟ ଇନ୍ଷ୍ଟିଚ୍ୟୁଟ୍ରେ। ଏଠାରେ ତାଙ୍କ ଚିକିତ୍ସା କରିଥିଲେ ଡା.ବିଲି କୋନ୍ ଓ ଡା. ବଡ୍ ଫ୍ରେଜିୟର। ସେମାନେ ଲୁଇସ୍ଙ୍କ ଛାତିରେ ‘କଣ୍ଟିନ୍ୟୁଅସ୍ ଫ୍ଲୋ ଡିଭାଇସ୍’ ନାମକ ଏକ ଯନ୍ତ୍ର ଲଗାଇଥିଲେ। ଭଗବାନଙ୍କ କୃପାରୁ ଉକ୍ତ ଯନ୍ତ୍ରଟି ସଫଳତାର ସହ ତାଙ୍କ ଛାତିରେ ଲାଗିଥିଲା। ଏହି ଯନ୍ତ୍ର ସାହାଯ୍ୟରେ ଶରୀରରେ ଠିକ୍ ଭାବେ ରକ୍ତ ସଞ୍ଚାଳିତ ହୋଇଥାଏ। ଏଥିପାଇଁ ହୃଦ୍ସ୍ପନ୍ଦନ ହେବାର ବି ଆବଶ୍ୟକତା ନାହିଁ। ଏହି ମେସିନ୍ ଲଗାଇବା ପୂର୍ବରୁ ଡାକ୍ତର ଲୁଇସ୍ଙ୍କ ହାର୍ଟ ବାହାର କରି ଦେଇଥିଲେ। ସେବେଠାରୁ ବିନା ହାର୍ଟରେ ବଞ୍ଚିଛନ୍ତି ଲୁଇସ୍।
ତେବେ ଏକୁଟିଆ ଲୁଇସ୍ ନୁହେଁ ବିନା ହାର୍ଟରେ ଜୀବିତ ଥିବା ଆଉ ଜଣେ ମହିଳା ହେଉଛନ୍ତି ବ୍ରିଟେନ୍ର ୩୯ ବର୍ଷୀୟା ସେଲ୍ଵା ହୁସେନ୍। ସେଲ୍ଵାଙ୍କ ହାର୍ଟ ଶରୀର ଭିତରେ ନୁହେଁ ବରଂ ଶରୀର ବାହାରେ ରହିଛି। ସେଲ୍ଵା ନିଜ ହାର୍ଟକୁ ଏକ ବ୍ୟାଗ୍ପ୍ୟାକ୍ରେ ଧରି ବୁଲୁଛନ୍ତି। ଏକ ଆର୍ଟିଫିସିଆଲ ସର୍ଜରୀ ପରଠାରୁ ସେଲ୍ଵା ନିଜ ହାର୍ଟକୁ ଧରି ରଖିଛନ୍ତି।
ଦୁଇଟି ପିଲାଙ୍କ ମା’ ସେଲ୍ଵାଙ୍କୁ ୪ ବର୍ଷ ତଳେ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ହାର୍ଟ ଫେଲ୍ ହୋଇଥିବା କହିବା ସହ ବିଶ୍ୱ ପ୍ରସିଦ୍ଧ Harefield ହସ୍ପିଟାଲକୁ ରେଫର କରିଥିଲେ। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିବାକୁ ଚାହିଁଥିଲେ ମଧ୍ୟ କରିପାରିନଥିଲେ। କାରଣ ସେଲ୍ଵାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ତାଙ୍କ ଅପରେସନ୍ କରିବା ବି ଅସମ୍ଭବ ଥିଲା। ଏଣୁ ଡାକ୍ତର ତାଙ୍କ ଶରୀରରେ ଏକ ଏଭଳି ସିଷ୍ଟମ୍ ଲଗାଇଥିଲେ, ଯାହା ଶରୀରର ବାହାରେ ରହିଥିଲା। ମାତ୍ର ଏହାର କନେକସନ୍ ଶରୀର ଭିତର ସହ ରହିଥିଲା। ଏହି ମେସିନ୍ ହାର୍ଟ ଭଳି ହିଁ ରକ୍ତକୁ ପମ୍ପ କରିଥାଏ।
ସେଲ୍ଵା ଉକ୍ତ ମେସିନ୍କୁ ଏକ ବ୍ୟାଗ୍ ପ୍ୟାକ୍ରେ ଧରି ସବୁବେଳେ ନିଜ ସହ ରଖିଥାନ୍ତି। ସେଲ୍ଵା ଧରୁଥିବା ବ୍ୟାଗ୍ରେ ଦୁଇଟି ବ୍ୟାଟେରୀ, ଏକ ମୋଟର ଓ ଏକ ପମ୍ପର ରହିଛି। ମୋଟର ସାହାଯ୍ୟରେ ଏହି ପମ୍ପ ଦୁଇ ପାଇପ୍ ଜରିଆରେ ଶରୀର ଭିତରେ ଲାଗିଥିବା ପ୍ଲାଷ୍ଟିକ୍ର ଦୁଇଟି ଚାମ୍ବରରେ ପବନ ପହଞ୍ଚାଇଥାଏ। ଏହି ପବନ ଶରୀରର ସବୁ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ସେଲ୍ଵା ନିଜ ସହ ଆଉ ଏକ ବ୍ୟାଗ୍ ପ୍ୟାକ୍ ବ୍ୟାକ୍ଅପ୍ ଭାବେ ରଖିଥାଆନ୍ତି। ଯଦି ତାଙ୍କ ସିଷ୍ଟମ୍ କେତେବେଳେ ଖରାପ ହୋଇଯିବ ତେବେ ମାତ୍ର ୯୦ ସେକେଣ୍ଡ ଭିତରେ ବ୍ୟାକ୍ ଅପ୍ ୟୁନିଟ୍ ଲଗାଇ ହେବ। ଏଥିସାଇଁ ତାଙ୍କ ସ୍ୱାମୀ ଓ ଜଣେ ସହାୟକ ସବୁବେଳେ ତାଙ୍କ ପାଖେ ପାଖେ ରହିଥାଆନ୍ତି।