ସାମାନ୍ୟ କଳହରୁ ଉଗ୍ର କାଣ୍ଡ, ଶୋଇଥିବା ସ୍ତ୍ରୀକୁ କୁରାଢ଼ୀରେ ହାଣିଲା ସ୍ୱାମୀ

ପୁଣିଥରେ ସ୍ତ୍ରୀର ହାତ କାଟିଲା ସ୍ୱାମୀ। ଗତ ୩ ସପ୍ତାହ ମଧ୍ୟରେ ଏହା ମଧ୍ୟ ପ୍ରଦେଶରେ ତୃତୀୟ ଘଟଣା। ଭୋପାଳ ଓ ସାଗର ପରେ ଏବେ ବୈତୁଲରେ ସ୍ୱାମୀ କୁରାଢ଼ୀରେ ଆକ୍ରମଣ କରି ସ୍ତ୍ରୀର ହାତକୁ ହାଣି ପକାଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହମିଦିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତି ୯.୩୦ରେ ଡାକ୍ତର ତାଙ୍କ ସର୍ଜରୀ କରିଛନ୍ତି।

ରିପୋର୍ଟ ମୁତାବକ, ବୈତୁଲର ଚିଚୌଲୀ ନିବାସୀ ୪୦ ବର୍ଷୀୟ କବିତା ବଂଶକାରଙ୍କ ସ୍ୱାମୀ ରାଜୁ ଛୋଟ ଛୋଟ କଥାରେ ତାଙ୍କୁ ମାରପିଟ୍‌ କରିଥାନ୍ତି। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ମନୋମାଳିନ୍ୟ ଥିଲା। ବୁଧବାର ରାତିରେ ମଧ୍ୟ ଉଭୟେ ଝଗଡ଼ା କରିଥିଲେ। ଗୁରୁବାର ଭୋର୍‌ ୫.୩୦ରେ କବିତା ଶୋଇଥିବା ବେଳେ ରାଜୁ ଏକ କୁରାଢ଼ୀରେ ତାଙ୍କୁ ଆକ୍ରମଣ କରିଥିଲା। କୁରାଢ଼ୀ ଚୋଟରେ କବିତାଙ୍କ ବାମ ହାତ କଟିଯାଇଥିବା ବେଳେ ଡାହାଣ ହାତର ୨ଟି ଆଙ୍ଗୁଠି ମଧ୍ୟ ଛିଣ୍ଡିଯାଇଛି। ରାଜୁ କୁରାଢ଼ୀରେ କବିତାଙ୍କ ମୁହଁକୁ ମଧ୍ୟ ଏକ ଚୋଟ ପକାଇଛି।

କବିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ପ୍ରବଳ ରକ୍ତସ୍ରାବ ଯୋଗୁ କବିତାଙ୍କ ଅବସ୍ଥା ବିଗିଡ଼ିଯାଇଛି। ପ୍ରଥମେ ରକ୍ତ ଦେବା ପରେ ଗୁରୁବାର ରାତି ୯.୩୦ରେ ୧୬ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ସର୍ଜରୀ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜୁଙ୍କୁ ଗିରଫ କରିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି।

ଏହା ପୂର୍ବରୁ ୯ ମାର୍ଚ୍ଚରେ ଭୋପାଳରେ ଓ ୨୨ ମାର୍ଚ୍ଚ ସାଗର ଠାରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯାହାକୁ ନେଇ ପୋଲିସରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.