ଅଗ୍ନି ନୁହେଁ ବରଂ ଦୁଇ ମହାପୁରୁଷଙ୍କୁ ସାକ୍ଷୀ ରଖି ସମ୍ପନ୍ନ ହେଲା ବିବାହ, ଏବେ ଛୁଟୁଛି ପ୍ରଶଂସାର ସୁଅ

ସୁବର୍ଣ୍ଣପୁର(କେନ୍ଯୁଜ୍): ବାହାଘର । ଯେଉଁଥିପାଇଁ କେତେ କଣ ପ୍ରସ୍ତୁତି କରିଥାନ୍ତି ବର ଓ କନ୍ଯା ପରିବାର । ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାକୁ ହାତ ଧରିଥାନ୍ତି ଦୁଇ ପୁଅ ଓ ଝିଅ । ଏହି ବାହାଘରରେ କେତେ ବାଜା,ରୋଷଣୀର ଆୟାଜନ ହୋଇଥାଏ ତ, ପୁଣି କେତେ ବରଯାତ୍ରୀ ସାମିଲ୍ ହୋଇଥାନ୍ତି। ପୁଣି ଜମିଥାଏ ଭୋଜି ଭାତର ଆସର ।

ହେଲେ ଏମିତି ଏକ ବାହାଘର ଦେଖିବାକୁ ମିଳିଛି ଯେଉଁଠି ସାତ ଜନ୍ମର ସାଥୀ ହେବା ପାଇଁ କେବଳ ଥିଲା ପ୍ରତିଶୃତି। ଆଉ ଏଥିପାଇଁ ସାକ୍ଷୀବି ଅଗ୍ନି ବେଦତା ନୁହେଁ ବରଂ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କ ଫଟୋ ରହିଥିଲା। ଯାହାଙ୍କ ସାମ୍ନାରେ ସାକ୍ଷୀରଖି ସମ୍ପନ୍ନ ହୋଇଥିଲା ଏହି ବାହାଘର । ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସେଲେଡି ଗାଁରେ।

ସୁବର୍ଣ୍ଣପୁର ଜିଲ୍ଲାର ବ୍ରାହ୍ମଣୀପାଲି ଗାଁର ଦଶରଥ ସୁନା ଏବଂ ସେଲେଡି ଗାଁ ତଥା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଭଉଣୀ ନଳିନୀ କୁମ୍ଭକାରୂ୍‌ଙ୍କ ମଧ୍ଯରେ ହୋଇଛି ଏହି ନିଆରା ବାହାଘର । ବିନା ଯୌତୁକରେ କେବଳ ଏହି ଦୁଇ ମହାପୁରୁଷଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି ଦଶରଥ ଓ ନଳିନୀ । ୨୦୦୯-୨୦୧୦ ମସିହାରେ ଯୁକ୍ତଦୁଇ ପରୀକ୍ଷାରେ ସମଗ୍ର ରାଜ୍ଯରେ ଷଷ୍ଠ ସ୍ଥାନରେ ରହି ସବୁର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ରାଜ୍ଯ ପାଇଁ ଗୌରବ ଆଣିଥିବା ଦଶରଥ ପୁଣିଥରେ ବିନା ଯୌତୁକରେ ଏଭଳି ଏକ ନିଆରା ଢଙ୍ଗରେ ବାହାହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।

ଦଶରଥ ଟାଟା ଇଷ୍ଟିଚ୍ୟୁଟ ଅଫ ମୁମ୍ବାଇରୁ ଏମଫିଲ ଡିଗ୍ରୀ ହାସଲକରି ଏବେ ରାମପୁର ମହାବିଦ୍ୟାଳୟରେ ଅଧ୍ଯାପକ ଭାବରେ କାର୍ଯ୍ଯ କରୁଥିବାବେଳେ ନଳିନୀ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ଯ କରୁଛନ୍ତି । ଲକଡାଉନ ଭିତରେ ଗତ ୩୧ ତାରିଖରେ ଏମାନଙ୍କ ବାହାଘର ହୋଇଥିବାବେଳେ ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଏମାନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.