କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା, ସୁପ୍ରିମ କୋର୍ଟରେ କହିଲେ କେନ୍ଦ୍ର ସରକାର
ଦେଶରେ କରୋନା ଯୋଗୁ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବୁଧବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସୁପ୍ରିମ୍ କୋର୍ଟରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ତରଫରୁ ଏହା ମଧ୍ୟ କୁହାଯାଇଛି କି, ଏହି କ୍ଷତିପୂରଣ ଯିଏ ମୃତ୍ୟୁବରଣ କରି ସାରିଛନ୍ତି, ସେମାନଙ୍କୁ ତ ଦିଆଯିବ, ଏଥି ସହିତ ଆଗାମୀ ଦିନରେ ଯଦି କାହାର କରୋନା ଯୋଗୁ ମୃତ୍ୟୁ ଘଟୁଛି, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରଦାନ କରାଯିବ।
କେନ୍ଦ୍ର ସରକାର କହିଛନ୍ତି, ଏହି ଅର୍ଥ ରାଶିକୁ ରାଜ୍ୟ ନିଜ ଷ୍ଟେଟ୍ ଡିଜାଷ୍ଟର ରିଲିଫ୍ ଫଣ୍ଡରୁ ଦେବ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ NDMA କ୍ଷତିପୂରଣକୁ ନେଇ ଗାଇଡ୍ଲାଇନ୍ସ ପ୍ରସ୍ତୁତ କରିଛି। ସୁପ୍ରିମ୍ କୋର୍ଟରେ କେନ୍ଦ୍ର କହିଛି କି, ଏହି କ୍ଷତିପୂରଣ ପାଇଁ ପରିବାର ଲୋକଙ୍କୁ ଜିଲାର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସରେ ଆବେଦନ କରିବାକୁ ହେବ। ଆବେଦକମାନଙ୍କୁ କରୋନାଜନିତ ମୃତ୍ୟୁର ପ୍ରମାଣ ପତ୍ର ଏବଂ ମେଡିକାଲ ସାର୍ଟିଫିକେଟ ମଧ୍ୟ ଦେବାକୁ ହେବ।
ସୂଚନାଥାଉ କି, କରୋନା ମହାମାରୀକୁ କେନ୍ଦ୍ର ସରକାର ବିପତ୍ତି ଘୋଷଣା କରିଛନ୍ତି ଏବଂ ଏହି କାରଣରୁ ଯଦି କାହାର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ପରିବାର ଲୋକେ କ୍ଷତିପୂରଣର ଦାବିଦାର ରହିବେ।