ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ଏଥିସହିତ ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । କୋଭାକ୍ସିନ୍ର ୨ଟି ଡୋଜ୍ ଓ ଜାଇଡସ୍ କାଡିଲାର ୩ଟି ଡୋଜ୍ ପିଲାଙ୍କୁ ଦେବା ପାଇଁ ବିଚାର ବିମର୍ଷ ଚାଲିଛି । ପିଲାଙ୍କୁ ଟିକା ନେଇ ଦେଶର ଭାରତ ବାୟୋଟେକ୍ର କୋଭାକ୍ସିନ୍କୁ ସବଜେକ୍ଟ ଏକ୍ସପର୍ଟ କମିଟି ଗ୍ରୀନ୍ ସିଗନାଲ ଦେଇ ସାରିଛି ।
ସେହିପରି ୨ ରୁ ୧୮ ବର୍ଷର ପିଲା ନେଇ ପାରିବେ ଏହି ଟିକା। ଡିସିଜିଆଇକୁ ସୁପାରିସ କରିଛି ସବ୍ଜେକ୍ଟ ଏକ୍ସପର୍ଟ କମିଟି। ଚୂଡ଼ାନ୍ତ ଅନୁମୋଦନର ନିଷ୍ପତ୍ତି ନେବ ଡିସିଜିଆଇ । ଡିସିଜିଆଇ ଅନୁମତି ପରେ ପିଲାଙ୍କୁ ମିଳିବ କୋଭାକ୍ସିନ୍ ଟିକା। ପୂର୍ବରୁ ୩ ଡୋଜ୍ ବିଶିଷ୍ଟ ଟିକା ଜାଇଡସ୍ କାଡିଲାର ଜାଇକୋଭ୍ ଡି-କୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳିସାରିଛି। ସେହି ଟିକା ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦେଇ ହେବ। ଜାଇଡସ୍ କାଡିଲାକୁ ଅନୁମତି ମିଳିଥିଲେ ବି ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି ଏହି ଟିକା ।
ଦେଶର ତୃତୀୟ ଶିଶୁ ଟିକା- ନୋଭାଭାକ୍ସ ପ୍ରସ୍ତୁତ କରୁଛି ସେରମ ଇନଷ୍ଟିଚ୍ୟୁଟ୍ । ୭ ରୁ ୧୧ ବର୍ଷର ପିଲାଙ୍କ ଉପରେ ଏହି ଟିକାର ଟ୍ରାଏଲ ଚାଲିଛି। ଗତ ମାସରେ ପରୀକ୍ଷା ପାଇଁ ଡିସିଜିଆଇ ଅନୁମତି ମିଳିଥିଲା। ଚତୁର୍ଥ ଶିଶୁ ଟିକା ବି ପ୍ରସ୍ତୁତ ହେଉଛି। ବାୟୋଲୋଜିକାଲ ଇ ପ୍ରସ୍ତୁତ କରୁଛି କୋର୍ବେଭାକ୍ସ। ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ଉପରେ ଏହାର ଟ୍ରାଏଲ ଚାଲିଛି।