ହୁ ହୁ ହୋଇ ବଢ଼ୁଛି ଖାଦ୍ୟ ସାମଗ୍ରୀ ଦର: ୨୮ ଟଙ୍କା ଛୁଇଁଲାଣି ଆଳୁ କିଲୋ, ଚିନ୍ତାରେ ଖାଉଟି

ଭୁବନେଶ୍ୱର (କେ.ନ୍ୟୁଜ୍‌): ଧନୀ ହେଉ କି ଗରିବ। ଆଇଁଷ ହେଉ କି ସାଦା। ସମସ୍ତଙ୍କ ଥାଳିରେ ଥାଏ ଆଳୁ। ହେଲେ ଏବେ ଆଳୁ କିଣିଲେ ପକେଟ୍‌କୁ ବାଧୁଛି। କାରଣ କିଛି ଦିନ ହେବ ଆଳୁ କିଲୋ ପ୍ରତି ୨୫ରୁ ୨୮ ଟଙ୍କାରେ ବିକ୍ରି ହେଉଛି। କୁହାଯାଉଛି, ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଁ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଏବେ ଆଳୁର ଦାମ୍‌ ବଢ଼ିଛି। ମୁଖ୍ୟତ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଓଡ଼ିଶାକୁୁ ଆଳୁ ଆସିଥାଏ। ପୂର୍ବରୁ ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ୍‌ ପିଛା ୯୦ ଟଙ୍କା ପଡୁଥିବା ବେଳେ ଏବେ ୧୫୦ ଟଙ୍କା ଟପିଲାଣି। ୟୁକ୍ରେନ-ରୁଷ୍‌ ଯୁଦ୍ଧ ଯୋଗୁଁ ବିଶ୍ୱରେ ସପ୍ଲାଏ ଚେନ୍‌ ଭାଙ୍ଗି ଯାଇଛି। ସେହିପରି ପାଣିପାଗ ପାଇଁ ମଧ୍ୟ ଉତ୍ପାଦନ ପ୍ରଭାବିତ ହୋଇଛି, ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଖାଉଟିଙ୍କ ପକେଟ୍‌ ଉପରେ।

ରାଜ୍ୟ ସରକାର ଆଳୁ ମିଶନ୍‌ ଗଠନ ପରେ ଆଳୁ ଚାଷ ହେଉଥିବା ଜମି ପରିମାଣ ବୃଦ୍ଧି ପାଇଛି। ହେଲେ ସେହି ଅନୁପାତରେ ଆଳୁ କିନ୍ତୁ ଉତ୍ପାଦନ ହେଉନାହିଁ। ତେଣୁ ଚାହିଦା ମେଣ୍ଟାଇବା କଷ୍ଟକର ହେଉଛି। ୨୦୧୫-୧୬ ବର୍ଷରେ ଆଳୁ ଚାହିଦା ମେଣ୍ଟାଇବା ପାଇଁ ସରକାର ଆଳୁ ମିଶନ ଗଠନ କରିଥିଲେ। ସେତେବେଳେ ମାତ୍ର ୧୫ ହଜାର ୮୦୫ ହେକ୍ଟର ଜମିରେ ୩.୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଉତ୍ପାଦିତ ହେଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୩.୦୯ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ରାଜ୍ୟରେ ଦିନକୁ ପ୍ରାୟ ୪ ହଜାର ଟନ୍‌ ଚାହିଦା ରହିଛି।

ବାର୍ଷିକ ପ୍ରାୟ ଅନୁମାନ ୧୪ ଲକ୍ଷ ୨୦ ହଜାର ଟନ୍‌ ଆଳୁ ଆବଶ୍ୟକ। ୮୦ ହଜାର ଟନ୍‌ ରାଜ୍ୟରେ ଚାଷ ହେଉ ଥିବା ବେଳେ ବର୍ଷକୁ ୭୦ରୁ ୮୦ ହଜାର ଟନ୍‌ ପଡ଼ୋଶୀ ରାଜ୍ୟରୁ ଆମଦାନୀ ହେଉଛି। ବର୍ତ୍ତମାନ ରାଜ୍ୟରେ ସରକାରୀ ଓ ବେସରକାରୀ ଭାବେ ତଥ୍ୟ ଅନୁସାରେ ୧୪୮ ଟି ଶୀତଳ ଭଣ୍ଡାର ଥିବା ବେଳେ ମାତ୍ର ୭୭ ଟି କାର୍ଯ୍ୟକାରୀ ହେଉଛି। ସେଥିରେ ବର୍ଷକୁ ୫୦ ହଜାର ଟନ୍‌ ଗଚ୍ଛିତ ରହୁଥିବା ବେଳେ ଦିନକୁ ରାଜ୍ୟରେ ୪ ହଜାର ଟନ୍‌ର ଆବଶ୍ୟକତା ରହିଛି। ଶୀତଳ ଭଣ୍ଡାର କ୍ଷମତା ବଢ଼ିଥିଲେ ମଧ୍ୟ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଉନାହିଁ ତେଣୁ ଆଳୁ ଦର ବୃଦ୍ଧି ପାଉଛି।

ଏବେ ଭୁବନେଶ୍ୱର ବଜାରରେ ଆଳୁ କିଲୋ ୨୫ ରୁ ୨୯ ଟଙ୍କା ରହୁଛି। ହୋଲସେଲ ଦୋକାନରେ ଆଳୁ କିଲୋ ୨୨ ରୁ ୨୩ ଟଙ୍କା ଥିବା ବେଳେ ଖୁଚୁରା ବ୍ୟବସାୟୀଙ୍କ ମନମାନି ବେପାର କେବଳ ଘରଣୀଙ୍କୁ ନୁହେଁ, ବରଂ ପୁରୁଷଙ୍କ ପକେଟ୍‌କୁ ମଧ୍ୟ ଖୁବ୍‌ ବାଧୁଛି। ତେବେ କେବଳ ଆଳୁ ନୁହେଁ ଟମାଟୋ, ଲେମ୍ବୁ, ଖାଇବା ତେଲ ଭଳି ଅନେକ ନିତ୍ୟ ବ୍ୟବହାର ଜିନିଷର ଦରଦାମ୍‌ ବି ଏବେ ଲୋକ ଙ୍କୁ କଲବଲ କରୁଛି।

Also Read: ଅନ୍‌ଲାଇନ୍‌ ଚିଟଫଣ୍ଡ ଠକେଇ: ଡିଜିଟାଲ ରିଭୋଲୋସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର ଗିରଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.