ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଦେଲେ ଗ୍ରାହକଙ୍କ ଏତେ କୋଟି ଟଙ୍କା!

କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଏଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ମୁତାବକ, ବ୍ୟାଙ୍କ ମ୍ୟାନେଜର ଜଣକ ନିଜ ଅଜଣା ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗ୍ରାହକମାନଙ୍କ ଆକାଉଣ୍ଟରୁ ମୋଟା ଅର୍ଥରାଶି ତାଙ୍କ ପାଖକୁ ପଠାଇ ଦେଇଛନ୍ତି। ଏପରି କି, ସେ ନିଜ ଆକାଉଣ୍ଟରୁ ମଧ୍ୟ ପ୍ରେମିକାଙ୍କୁ ୧୨.୫ ଲକ୍ଷ ଟଙ୍କା ଦେଇଛନ୍ତି।

ପୋଲିସ ସୂଚନା ମୁତାବକ, ବ୍ୟାଙ୍କରେ ଗ୍ରାହକ ମାନଙ୍କ ଦ୍ୱାରା ଜମା ହୋଇଥିବା ୫.୭ କୋଟି ଟଙ୍କାକୁ ଜଣେ ଯୁବତୀଙ୍କୁ ପଠାଇବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି। ତେବେ ମ୍ୟାନେଜର ଜଣକ କେବଳ ଏକ ଡେଟିଂ ଆପ୍‌ ଜରିଆରେ ଉକ୍ତ ଯୁବତୀଙ୍କୁ ଚିହ୍ନିଥିବା କହିଛନ୍ତି।

ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ନାମ ହରି ଶଙ୍କର ବୋଲି ଜଣାପଡ଼ିଛି। ବ୍ୟାଙ୍କର ଜୋନାଲ ମ୍ୟାନେଜରଙ୍କ ଦ୍ୱାରା ଦିଆଯାଇଥିବା ଏତଲାରେ ଅଭିଯୁକ୍ତଙ୍କ ୨ ସହଯୋଗୀ, ସହାୟକ ଶାଖା ପ୍ରବନ୍ଧକ ଓ କ୍ଲର୍କଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ପୂରା ମାମଲାର ଖୁଲାସା ଏକ ଇଣ୍ଟରନାଲ୍‌ ଅଡିଟ୍‌ରୁ ହୋଇଥିଲା, ଯାହାକି ୧୩ରୁ ୧୯ ମେ’ ମଧ୍ୟରେ କରାଯାଇଥିଲା।

ନିକଟରେ ଜଣେ ମହିଳା ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ୍‌ ଖାତା ଖୋଲିଥିଲେ ଏବଂ ସେଥିରେ ୧.୩ କୋଟି ଟଙ୍କା ଜମା କରିଥିଲେ। ଏହି ରାଶି ଉପରେ ୭୫ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ। ବ୍ୟାଙ୍କ ମ୍ୟାନେଜର ଅନେକ ଆକାଉଣ୍ଟରୁ ୫.୭ କୋଟି ଟଙ୍କା ଜାରି କରିବା ପାଇଁ ଗ୍ରାହକଙ୍କ ଦ୍ୱାରା ଜମା ଦସ୍ତାବିଜ୍‌ ବ୍ୟବହାର କରିଥିଲେ।

ଯାଞ୍ଚରୁ ଏହା ମଧ୍ୟ ସାମ୍ନାକୁ ଆସିଛି କି, କର୍ଣ୍ଣାଟକର ଦୁଇ ବ୍ୟାଙ୍କ ଖାତାରୁ ୧୩୬ ଥର ଦେଣ ନେଣ ହୋଇଛି ଏବଂ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ବ୍ୟାଙ୍କର ୨୮ଟି ଆକାଉଣ୍ଟ ବ୍ୟବହାର କରାଯାଇଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟାଙ୍କ ଗୋଟିଏ ମାତ୍ର ଖାତାକୁ ହିଁ ଫ୍ରିଜ୍‌ କରି ପାରିଛି, ଯେଉଁଥିରୁ ୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ସେପଟେ ଗିରଫ ପରେ ବ୍ୟାଙ୍କ ମ୍ୟାନେଜର ନିଜ ଦୋଷ ସ୍ୱୀକାର କରିଛନ୍ତି ଏବଂ ପୋଲିସକୁ କହିଛନ୍ତି ଯେ ସେ ନିଜେ ସାଇବର ଅପରାଧର ଶିକାର ହୋଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଠକେଇ ଏବଂ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ୧୦ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.