ତାଇୱାନ ସୀମାରେ ପଇଁତରା ମାରୁଛି ଚୀନର ୧୭ ବିମାନ, ତୀବ୍ର ହେଉଛି ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ

ବେଜିଂ : ତୀବ୍ର ହେଉଛି ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ। ଆଜି ପୁଣି ତାଇୱାନ ସୀମାରେ ପଶିଲା ଚୀନ ସେନାର ୧୭ ବିମାନ ଓ ୪ ଜାହାଜ। ୯ଟି ବିମାନ ମିଡିଆନ୍ ଲାଇନ୍ର ପୂର୍ବ ଭାଗରେ ଉଡ଼ିଥିଲେ । ଏଥିରେ ରହିଛି ୨ଟି J-11, ଗୋଟିଏ Y-8 EW, ଗୋଟିଏ Y-8 ASW, ଗୋଟିଏ UAV RECCE ଏବଂ ୪ଟି H-6 ବିମାନ । ତେବେ ଚୀନ୍ର ବିମାନ ଓ ଯୁଦ୍ଧ ଜାହାଜକୁ ତୁରନ୍ତ ଘଉଡ଼ାଇଥିଲା ତାଇଓ୍ଵାନ୍ ।

ଏୟାରକ୍ରାଫ୍ଟ, ଯୁଦ୍ଧ ପୋତ ଓ ମିସାଇଲ ସିଷ୍ଟମ୍ ଦେଖାଇ ଚୀନ୍ ବିମାନ ଓ ଯୁଦ୍ଧ ଜାହାଜକୁ ଘଉଡ଼ାଇ ଦେଇଥିଲା। ଚୀନ ତାଇୱାନ ସୀମାରେ ବଡ଼ ଧରଣର ଯୁଦ୍ଧାଭ୍ୟାସ ବନ୍ଦ କରିଥିଲେ ମଧ୍ୟ, ନିୟମିତ ତାଇୱାନ ବାୟୁ ସୀମା ଅତିକ୍ରମ କରୁଛି। ତାଇୱାନ ମଧ୍ୟ ଚୀନର ମୁକାବିଲା ପାଇଁ ସଜାଗ ରହିଛି। କିଛି ଦିନ ତଳେ ଏକ ଡ୍ରୋନ୍କୁ ମାରି ଖସାଇ ଦେଇଥିଲା ତାଇୱାନ। ଆକ୍ରମଣ ହେଲେ ପ୍ରତିଆକ୍ରମଣ କରାଯିବ ବୋଲି ତାଇଓ୍ଵାନ ଚୀନ୍କୁ ରୋକଠୋକ ଶୁଣାଇ ଦେଇଛି।

ଚୀନ କିନ୍ତୁ ପଛଘୁଞ୍ଚା ଦେଉ ନାହିଁ। ଚୀନର ଐତିହାସିକ ଏକତ୍ରୀକରଣକୁ କେହି ବି ଅଟକାଇ ପାରିବେ ନାହିଁ ବୋଲି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଗତ ମାସରେ ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସୀ ତାଇଓ୍ଵାନ ଆସିବା ପରେ ଚୀନ୍-ତାଇଓ୍ଵାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ନାନ୍ସୀ ପେଲୋସିଙ୍କ ଗସ୍ତକୁ ବିରୋଧ କରି ୭ ଦିନ ଧରି ସମରାଭ୍ୟାସ କରିଥିଲା ଚୀନ୍ । ତାଇଓ୍ଵାନ୍କୁ ଘେରାବନ୍ଦୀ କରି ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିଲା।

ଏହା ପରେ ଆଉ ୨ ଥର ଚୀନ୍କୁ ପ୍ରତିନିଧି ମଣ୍ଡଳୀ ପଠାଇଲାଣି ଆମେରିକା । ଆମେରିକା ପ୍ରତିନିଧିଙ୍କ ପ୍ରତି ଗସ୍ତ ପରେ ଚୀନ୍ ସମରାଭ୍ୟାସ କରୁଛି। ତାଇଓ୍ଵାନ ସହ ୯ ହଜାର କୋଟିର ଅସ୍ତ୍ରଶସ୍ତ୍ର ଡିଲ୍କୁ ନିକଟରେ ଆମେରିକା ଗ୍ରୀନ୍ ସିଗ୍ନାଲ ଦେଇଛି। ଯାହାକୁ ନେଇ ଭୟଙ୍କର ହୋଇ ଉଠିଛି ଡ୍ରାଗନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.