୬୦ ଫୁଟ ଉଚ୍ଚ ଶହିଦ ସ୍ମାରକୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରହିଛି ୧୨୦୦ରୁ ଅଧିକ ଶହିଦଙ୍କ ନାମ

ଛତିଶଗଡର ବସ୍ତର ଜିଲ୍ଲାରେ ନିର୍ମିତ ଅମର ବାଟିକାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗଣତନ୍ତ୍ର ଦିବସରେ ଲୋକାର୍ପଣ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅମର ବାଟିକାରେ ୬୦ ଫୁଟ ଉଚ୍ଚ ଶହିଦ ସ୍ମାରକୀ ନିର୍ମାଣ କରାଯାଇଛି । ଏହାକୁ ବସ୍ତରରେ ଶାନ୍ତି ପାଇଁ ପ୍ରାଣ ବଳିଦାନ ଦେଇଥିବା ଶହିଦ ଯବାନଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି। ଏହାଛଡା ଶହିଦ ସ୍ମାରକୀ ନିକଟରେ ଏକ ଗ୍ରାନାଇଟ କାନ୍ଥରେ ନକ୍ସଲୀ ଆକ୍ରମଣରେ ଶହିଦ ହୋଇଥିବା ୧୨୦୦ରୁ ଅଧିକ ଯବାନଙ୍କ ନାମ ମଧ୍ୟ ଲେଖାଯାଇଛି। ଏହାଛଡା ଏକ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଥିରେ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ମୋର୍ଚ୍ଚା ପାଇଁ ଯବାନ ମାନେ କେମିତି କାମ କରନ୍ତି, ତାହା ବିଷୟରେ ସୂଚନା ଦିଆଯାଇଛି ।

ଜଗଦଳପୁର-ରାୟପୁର ଜାତୀୟ ରାଜପଥ ନିକଟରେ ଆମାଗୁଡାରେ ଅମର ବାଟିକା ନିର୍ମାଣ ହୋଇଛି । ଏହା ନିକଟରେ ବଗିଚା ମଧ୍ୟ ନିର୍ମାଣ କରାଯାଉଛି । ତେବେ ଅମର ବାଟିକାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଅମର ଶହିଦଙ୍କ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଶହିଦଙ୍କ ପରିବାରଙ୍କୁ ସାକ୍ଷାତ କରି ସାଲ ଏବଂ ଫଳ ପ୍ରଦାନ କରିଥିଲେ । ଏହାସହିତ ବାଟିକାରେ ଗଛ ରୋପଣ କରିଥିଲେ ।

ବସ୍ତରର ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପୋଲିସ ଏବଂ ସୁରକ୍ଷା ବଳ କର୍ମଚାରୀ ତଥା ସାଧାରଣ ନାଗରିକଙ୍କ ସ୍ମୃତିରେ ସହରର ଆମାଗୁଡା ଛକରେ ଅମର ବାଟିକା ନିର୍ମାଣ କରାଯାଇଛି। ବାଟିକାରେ ପାଖାପାଖି ୬୦ ଫୁଟ ଉଚ୍ଚ ଶହିଦ ସ୍ମାରକ ନିର୍ମାଣ କରାଯାଇଛି ।ସ୍ମାରକୀ ନିକଟରେ ଏକ ଗ୍ରାନାଇଟ କାନ୍ଥରେ ନକ୍ସଲୀ ଆକ୍ରମଣରେ ଶହିଦ ହୋଇଥିବା ୧୨୦୦ରୁ ଅଧିକ ଯବାନଙ୍କ ନାମ ମଧ୍ୟ ଲେଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.