ଖାଦ୍ୟ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ! ଅଦାନୀ କମ୍ପାନୀ ଲିଟର ପିଛା କମାଇଲା ୩୦ ଟଙ୍କା

ମହଙ୍ଗା ବଜାରରେ ନାନା ହିନସ୍ତା ଭୋଗୁଥିବା ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ‘ଅଦାନୀ ଓ୍ଵିଲ୍‌ମର’ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ କରିଛି। କମ୍ପାନୀ ଏହାର ଦାମ୍‌ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟ ହ୍ରାସ ଭିତରେ ଘରୋଇ ବଜାରରେ ଏହି ହ୍ରାସ ଘୋଷଣା କରାଯାଇଛି।

ସୂଚନାଥାଉ କି, କିଛି ଦିନ ତଳେ ସରକାର ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନୀର ପ୍ରତିନିଧିମାନଙ୍କ ସହ ବସି ଖୁଚୁରା ମୂଲ୍ୟ ହ୍ରାସକୁ ନେଇ ଚର୍ଚ୍ଚା କରିଥିଲେ। ଏହାପରେ ଅଦାନୀ ଓ୍ଵିଲ୍‌ମର ତୈଳ ମୂଲ୍ୟ ହ୍ରାସ କରିଛି। କମ୍ପାନୀ ସବୁଠାରୁ ଅଧିକ ସୋୟାବିନ୍‌ ତେଲ ମୂଲ୍ୟରେ ହ୍ରାସ କରିଛି। ନୂଆ ଦର ଲାଗୁ ପରେ ସାମଗ୍ରୀ ଖୁବ୍‌ ଜଲ୍‌ଦି ବଜାରରେ ପହଞ୍ଚିବ।

ଖାଦ୍ୟ ମନ୍ତ୍ରାଳୟ ତୈଳ ମୂଲ୍ୟ ଉପରେ ଚର୍ଚ୍ଚା କରିବା ପାଇଁ ୬ ଜୁଲାଇରେ ଏକ ବୈଠକ ଡକାଇଥିଲା। ସରକାର ବିଭିନ୍ନ କମ୍ପାନୀକୁ ବିଶ୍ୱ ମୂଲ୍ୟରେ ଆସିଥିବା ହ୍ରାସ ଅନୁସାରେ ମୂଲ୍ୟ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ କମ୍ପାନୀର ଏହି ଘୋଷଣା ପରେ ଫର୍‌ଚ୍ୟୁନ ସୋୟାବିନ୍‌ ତେଲ ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୧୯୫ ଟଙ୍କାରୁ ହ୍ରାସ ପାଇ ୧୬୫ ଟଙ୍କା ହୋଇଛି। ସେହିପରି ସୂର୍ଯ୍ୟମୁଖୀ ତେଲ ମୂଲ୍ୟ ୨୧୦ ଟଙ୍କାରୁ କମି ୧୯୯ ଟଙ୍କା ହୋଇଛି। ଏଥି ସହିତ ସୋରିଷ ତେଲ ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସୋରିଷ ତେଲର ସର୍ବାଧିକ ଖୁଚୁରା ମୂଲ୍ୟ (MRP) ପ୍ରତି ଲିଟର ୧୯୫ ଟଙ୍କାରୁ କମି ୧୯୦ ଟଙ୍କା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.