ପଥଚାରୀଙ୍କ ପାଇଁ ବିପଦ ସାଜିପାରେ ବୈଦ୍ୟୁତିକ ଯାନ! ଏହି ପଦକ୍ଷେପ ଉଠାଇ ପାରନ୍ତି କେନ୍ଦ୍ର ସରକାର; ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଯେମିତି ଯେମିତି ଭାରତ ବୈଦ୍ୟୁତିକ ଯାନ ଆଡକୁ ଅଗ୍ରସର ହେଉଛି, ସେମିତି ହିଁ ଏହାର ମୂଲ୍ୟ, ଭିତ୍ତିଭୂମି ଢାଞ୍ଚା ଏବଂ ଡ୍ରାଇଭିଂ ରେଞ୍ଜ ସହ ଜଡିତ ଅନେକ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସୁଛି। ସ୍ୱଚ୍ଛ ଶକ୍ତିରେ ଚାଲୁଥିବା ବୈଦ୍ୟୁତିକ ଯାନଗୁଡିକ ଏତେ ଶାନ୍ତ ବା ଶବ୍ଦହୀନ ଯେ ଏଗୁଡ଼ିକ ରାସ୍ତାରେ ଚାଲିଲେ ଅନ୍ୟମାନଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ସୃଷ୍ଟି କରି ପାରନ୍ତି, ଯାହାକି ବର୍ତ୍ତମାନ ସମୟରେ ଏକ ଚିନ୍ତାଜନକ ବିଷୟ ହୋଇଛି। ଏହି ପ୍ରସଙ୍ଗକୁ କେତେକ ଦେଶ ଗମ୍ଭୀରତାର ସହିତ ନେଉଛନ୍ତି। ଏହି କ୍ରମରେ ଭାରତରେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇ ନିକଟ ଭବିଷ୍ୟତରେ କିଛି ପଦକ୍ଷେପ ଉଠାଇ ପାରେ।

ରିପୋର୍ଟ ମୁତାବକ, ଏହି ସୁରକ୍ଷା ଚିନ୍ତା କେନ୍ଦ୍ରକୁ ସତର୍କ କରାଇ ଦେଇଛି। ସରକାର ବୈଦ୍ୟୁତିକ କାରଗୁଡ଼ିକୁ ରାସ୍ତାରେ ଅନ୍ୟମାନଙ୍କ ପାଇଁ ସୁରକ୍ଷିତ କରେଇବା ଲାଗି କୃତ୍ରିମ ଧ୍ୱନି ଯୋଡିବା ଉପରେ ବିଚାର କରୁଛନ୍ତି। ଖବର ଅନୁସାରେ, ଏହା ଏଥିପାଇଁ କରାଯାଉଛି, ଯେପରି ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ବୈଦ୍ୟୁତିକ ଯାନ ଆସିବା ଏବଂ ଯିବାର ଶବ୍ଦ ଶୁଭି ପାରିବ। ଅର୍ଥାତ୍‌ ସେମାନେ ଯେପରି ଏହି ଶବ୍ଦ ଶୁଣି ପାରିବେ। ଏଥିରୁ ବଞ୍ଚିବା ପାଇଁ ସେମାନଙ୍କୁ ସଙ୍କେତ ମିଳି ପାରିବ।

ରିପୋର୍ଟରେ କୁହାଯାଇଛି ଯେ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସମ୍ପୃକ୍ତ ବିଭାଗକୁ ଏହି ଦିଗରେ ସମ୍ଭାବନା ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି। ଯଦି ଏହାକୁ ସବୁଜ ସଙ୍କେତ ମିଳୁଛି, ତ ଧ୍ୱନି ପ୍ରଦୂଷଣର ସ୍ତର ପାଇଁ ବୈଦ୍ୟୁତିକ ଯାନରେ କୃତ୍ରିମ ଶବ୍ଦର ପ୍ରଭାବ ମଧ୍ୟ ଆକଳନ କରାଯିବ। ପୁଣି ଯଦି ଏହାକୁ ମଞ୍ଜୁରୀ ଦିଆଯାଏ, ତା’ ହେଲେ କେନ୍ଦ୍ର ସରକାର ରାସ୍ତାରେ ବୈଦ୍ୟୁତିକ ଯାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ଆପଣାଇ ପାରନ୍ତି। ନୂତନ ନିୟମ ଅଧୀନରେ ବୈଦ୍ୟୁତିକ ଯାନ ନିର୍ମାତାମାନଙ୍କ ପାଇଁ ଶବ୍ଦ ଉତ୍ପନକାରୀ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯିବାର ସମ୍ଭାବନା ରହିଛି। ଶବ୍ଦ ଉତ୍ପନକାରୀ ଯନ୍ତ୍ରଗୁଡ଼ିକୁ ‘ଧ୍ୱନିକ ଯାନ ଚେତାବନୀ ପ୍ରଣାଳୀ (AVAS)’ କୁହାଯିବାର ସମ୍ଭାବନା ଅଛି।