ଠକେଇ ଯୋଗୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲେ ୧୦ ଦିନ ଭିତରେ ମିଳିଯିବ ସବୁ ଅର୍ଥରାଶି, ଉପାୟ କହିଲା RBI

ବର୍ତ୍ତମାନ ଯୁଗ ସହ ତାଳ ଦେଇ ଲୋକମାନେ ମଧ୍ୟ ଆଗକୁ ବଢ଼ୁଛନ୍ତି। ଆଗରୁ ଲୋକେ ହାତକୁ ହାତ ଟଙ୍କା ଦେଇ କିଣାବିକା କରୁଥିବା ବେଳେ ଏବେ ଡିଜିଟାଲ ପେମେଣ୍ଟ କରୁଛନ୍ତି। ଅଧିକାଂଶ କାରବାର ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ହେଉଛି। ତେବେ ବଢ଼ୁଥିବା ଡିଜିଟାଲ କାରବାରକୁ ଦେଖି ହ୍ୟାକର୍ସମାନେ ମଧ୍ୟ ଠକେଇ କରିବାର ଶୈଳୀ ବଦଳାଇ ଦେଇଛନ୍ତି। ସାଇବର କ୍ରିମିନାଲମାନେ ଏବେ ଲୋକଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା ଠକି ନେଉଛନ୍ତି। ଫଳରେ ଲୋକେ ବୁଝିବା ପୂର୍ବରୁ ତାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି। ଏଭଳି ଅବସ୍ଥା ପରେ ଲୋକମାନେ ସାଧାରଣତଃ ଟଙ୍କା ବୁଡ଼ିଗଲା ଭାବି ଚୁପ୍‌ଚାପ ବସିଯାଆନ୍ତି। କିନ୍ତୁ ଜାଣି ଖୁସି ହେବେ ଯେ ଏଭଳି ଠକେଇ ପରେ ବି ଆପଣ ଟଙ୍କା ଫେରସ୍ତ ପାଇପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଏବେ ଲୋକଙ୍କ ଆକାଉଣ୍ଟରୁ ବିନା କାରଣରେ ଟଙ୍କା କଟିଥିଲେ କିମ୍ବା କେହି ଠକି ନେଇଥିଲେ ସେମାନେ ପୁଣିଥରେ ପୂରା ଅର୍ଥରାଶି ପାଇପାରିବେ। ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ବ୍ୟାଙ୍କ ତରଫରୁ କୁହାଯାଇଛି ଟଙ୍କା କଟିବାର ୩ ଦିନ ଭିତରେ ଯଦି ଗ୍ରାହକ ଅଭିଯୋଗ କରନ୍ତି ତେବେ ସେ ପୂରା ଟଙ୍କା ଫେରି ପାଇପାରିବେ।

cyber

କେମିତି ପାଇବେ ଟଙ୍କା:

ଯଦି ଏଭଳି ଟ୍ରାନ୍ସଜାକସନ୍‌ରେ ଟଙ୍କା କଟିଥାଏ ତେବେ କେମିତି ଫେରିପାଇବେ ଆସନ୍ତୁ ଜାଣିବା…
ବ୍ୟାଙ୍କ ତରଫରୁ ଏଭଳି ସାଇବର ଠକେଇକୁ ଦୃଷ୍ଟିରେ ରଖି ଇନ୍ସ୍ୟୁରାନ୍ସ ପଲିସି ନିଆଯାଇଛି। ବ୍ୟାଙ୍କ ଆପଣଙ୍କ ସହ ହୋଇଥିବା ସମସ୍ତ ବିବରଣୀ ଇନ୍ସ୍ୟୁରାନ୍ସ କମ୍ପାନୀକୁ ଦେବ ଓ ଉକ୍ତ ଇନ୍ସ୍ୟୁରାନ୍ସ କମ୍ପାନୀରୁ ଟଙ୍କା ନେଇ ଆପଣଙ୍କୁ ଫେରାଇବ। ସାଇବର ଫ୍ରଡରୁ ବଞ୍ଚିବା ପାଇଁ ଇନ୍ସ୍ୟୁରାନ୍ସ କମ୍ପାନୀ ମଧ୍ୟ ଲୋକଙ୍କୁ ସିଧାସଳଖ କ୍ଷତିପୂରଣ ଦେବ। ଏଥିପାଇଁ ଆପଣ ୩ ଦିନ ଭିତରେ ବ୍ୟାଙ୍କରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବାର ୧୦ ଦିନ ଭିତରେ ଆପଣଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଟଙ୍କା ଆସିଯିବ। ନିର୍ଦ୍ଧାରିତ ସମୟ ପରେ ଅଭିଯୋଗ କଲେ ଗ୍ରାହକଙ୍କୁ ୨୫ ହଜାର ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିପାରେ।