ମା’ ଉକୁଳେଇ ଠାକୁରାଣୀଙ୍କ ଝୁଣା ଧୂଆଁ ଓ ପାଦୁକ ପାଣିରେ ଦୁରହୁଏ ରୋଗୀଙ୍କ ରୋଗ, ଜାଣନ୍ତୁ ମା’ଙ୍କ ଆବିର୍ଭାବ ପଛର କାହାଣୀ

ମା’ ଉକୁଳେଇଙ୍କ ଅପାର କରୁଣା ଭକ୍ତ ମାନଙ୍କ ଉପରେ ରହିଛି । ବିଭିନ୍ନ ରୋଗ ଉପଶମ କରନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ଉକୁଳେଇ । ଯେତେ ବଡ଼ ରୋଗ ହେଉ ନା କାହିଁକି ମା’ଙ୍କ ପୀଠରେ ପହଞ୍ଚି ତାଙ୍କ ଝୁଣା ଧୂଆଁ ଓ ପାଦୁକ ପାଣି ପାଇବା ମାତ୍ରେ ରୋଗୀ ଏଠାରେ ଆରୋଗ୍ୟ ଲାଭ କରିଥାଏ ।

ଅସ୍ତରଙ୍ଗର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଉକୁଳେଇ ଠାକୁରାଣୀ । ମା’ ଉକୁଳେଇ ଠାକୁରାଣୀଙ୍କ ପୀଠରେ ବର୍ଷର ପ୍ରାୟ ସବୁ ସମୟରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗିରହିଥାଏ । କାହିଁକି ନା ମା’ ଉକୁଳେଇଙ୍କ ଅପାର କରୁଣା ଭକ୍ତ ମାନଙ୍କ ଉପରେ ରହିଛି । ବିଭିନ୍ନ ରୋଗ ଉପଶମ କରନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ଉକୁଳେଇ । ଯେତେ ବଡ଼ ରୋଗ ହେଉ ନା କାହିଁକି ମା’ଙ୍କ ପୀଠରେ ପହଞ୍ଚି ତାଙ୍କ ଝୁଣା ଧୂଆଁ ଓ ପାଦୁକ ପାଣି ପାଇବା ମାତ୍ରେ ରୋଗୀ ଏଠାରେ ଆରୋଗ୍ୟ ଲାଭ କରିଥାଏ । ମା’ଙ୍କ ଆବିର୍ଭାବ ପଛରେ ରହିଛି ଏକ କିମ୍ବଦନ୍ତୀ ।

ବିଶ୍ୱାସ ଅନୁସାରେ ଆଜକୁ ପ୍ରାୟ ୧୨୫ ବର୍ଷ ତଳେ ୧୯୦୦ ମସିହାରେ ଜୀଉନ୍ତି ଗାଁରେ ରାହୁଥାନ୍ତି ରଘୁନାଥ ମହାନ୍ତି ନାମକ ଜଣେ ବ୍ୟକ୍ତି । ରଘୁନାଥ ରାତିରେ ଶୋଇଥିବା ବେଳେ ହଠାତ ଏକ ସ୍ବପ୍ନ ଦେଖିଲେ ଜଣେ ଦିବ୍ୟସୁନ୍ଦର ଦେବୀ ମଥାରେ ବଡ଼ ସିନ୍ଦୁର ଟୋପା ପିନ୍ଧି ରଘୁନାଥଙ୍କୁ କହୁଛନ୍ତି ହେ ଭକ୍ତ ମୁଁ କଳାବୁଦି ଠାରେ ରହିଥିବା ତ୍ରିବେଣୀ ଘାଟ ନିକଟ ଜଙ୍ଗଲରେ ଏକ ନିମିକୋଳି ଗଛ ମୂଳରେ ରହିଛି ,ତୁମେ ସେଠାରୁ ମୋତେ ଉଦ୍ଧାର କରି ମୋର ସେବା ପୂଜା କର ମୁଁ ଭକ୍ତ ମାନଙ୍କୁ ରୋଗ ମୁକ୍ତ କରିବି । ଏଭଳି ଏକ ଦିବ୍ୟ ସ୍ବପ୍ନ ଦେଖି ରଘୁନାଥ ନିଦ ଭାଙ୍ଗି ଯାଇଥିଲା ଏବଂ ସ୍ବପ୍ନ ର ମର୍ମ କିଛି ବୁଝି ପାରିନଥିଲେ । ପରଦିନ ମଧ୍ୟରାତ୍ରିରେ ମଧ୍ୟ ସମାନ ସ୍ବପ୍ନ ଦେଖିବାକୁ ପାଇଲେ ,କିନ୍ତୁ କିଏ କହୁଛି କାହିଁକି ଏମିତି କହୁଛି ଭାବି ଶୋଇପଡିଥିଲେ । ତୃତୀୟ ଦିନ ମଧ୍ୟ ରାତ୍ରିରେ ସମାନ ଦିବ୍ୟ ସୁନ୍ଦର ଦେବୀ ରଘୁନାଥଙ୍କୁ ପୁଣି ସ୍ବପ୍ନରେ ଦେଖାଦେଲେ ଏବଂ କହିଲେ ହେ ଭକ୍ତ ମୁଁ ହେଉଛି ଉକୁଳେଇ ମା’,ତୁମେ ଭୟ କରନାହିଁ ଆସନ୍ତା କାଲି ତୁମେ କଳାବୁଦି ଯାଇ ସେହି ନିମିକୋଳି ଗଛ ନିକଟରୁ ମୋତେ ଉଦ୍ଧାର କର ଏବଂ ମୋର ସେବା ପୂଜା ଆରମ୍ଭ କର ମୁଁ ଭକ୍ତ ମାନଙ୍କ ଦୁଃଖ ଦୂର କରିବି । ଏଭଳି ସମାନ ସ୍ବପ୍ନ ଦେଖି ରଘୁନାଥଙ୍କ ନିଦ ଭାଙ୍ଗିଯାଇଥିଲା ଏବଂ ସେ ନିଦରୁ ଉଠି ଘର ବାହାରକୁ ଆସିଲେ । ପରେ ନିଜର ବାଡ଼ି ପଟେ ଏକ ଉଜ୍ଜଳ ଆଲୋକ ପିଣ୍ଡ ଏବଂ ତା ଭିତରେ ସ୍ବପ୍ନରେ ଦେଖିଥିବା ସେହି ଦିବ୍ୟ ନାରୀଙ୍କ ସ୍ବରୂପ ଦେଖିବାକୁ ପାଇଥିଲେ । ଏହାକୁ ଦେଖି ଭୟରେ ରଘୁନାଥ ଘର ଭିତରକୁ ପଳାଇଗଲେ ଏବଂ ରାତି ପାହିବାକୁ ଅପେକ୍ଷା କଲେ ।

ରାତି ପାହିବା ପରେ ସିଧା ବାହାରିଗଲେ କଳାବୁଦିକୁ ବା ଆଜିର ଉକୁଳେଇ ଅଞ୍ଚଳକୁ । ସେ ସମୟରେ ଉକୁଳେଇ ଅଞ୍ଚଳ ଜଙ୍ଗଲରେ ଘେରି ରହିଥିଲା । ଉକୁଳେଇ ଠାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ନିମିକୋଳି ଗଛକୁ ଖୋଜିବାକୁ ଲାଗିଥିଲେ । ଜଙ୍ଗଲ ମଧ୍ୟରେ କିଛି ବାଟ ଯିବାପରେ ଏକ ନିମିକୋଳି ଗଛକୁ ଦେଖିବାକୁ ପାଇଲେ ଏବଂ ସେହି ଗଛ ମୂଳେ ଏକ ଦିବ୍ୟ ପଥର ପଡିରହିଥିବା ଦେଖିବାକୁ ପାଇଲେ ,ସେହି ପଥର ଦେହରୁ ଚୁଆ ଚନ୍ଦନର ଦିବ୍ୟ ସୁଗନ୍ଧ ବାହାରୁଥିଲା । ଏବଂ ସେହି ସ୍ଥାନକୁ ପରିଷ୍କାର କରି ମାଙ୍କୁ ରଖିଲେ ଏବଂ ତ୍ରିବେଣୀ ଘାଟ ନିକଟରେ ରହିଥିବା ସିଦ୍ଧ ପୁଷ୍କରିଣୀରୁ ପତ୍ରରେ ଜଳ ଆଣି ଦିବ୍ୟ ପଥରଟିକୁ ଧୋଇଲେ । ସେହି ଦିନ ଠାରୁ ମା’ଙ୍କ ନିର୍ଦ୍ଦେଶ କ୍ରମେ ନିମିକୋଳି ଗଛ ମୂଳେ ଉକୁଳେଇ ଠାକୁରାଣୀଙ୍କୁ ରଘୁନାଥ ମହାନ୍ତି ପୂଜା କରିବା ଆରମ୍ଭ କଲେ । ସେହି ଦିନଟି ତ୍ରିବେଣୀ ଅମାବଶ୍ୟାର ତିଥି ରହିଥିଲା । ଉକ୍ତ ଦିନ ମା’ଙ୍କ ଆବିର୍ଭାବ ହୋଇଥିବା ଯୋଗୁଁ ଏହି ଦିନକୁ ମା’ଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇ ଆସୁଛି । ଏହି ଦିନ ରାଜ୍ୟର ଅନେକ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ ।

ଯେତେ ବଡ଼ ରୋଗ ହେଇଥାଉ ନା କାହିଁକି ଗୁରୁବାର ଦିନ ମା’ ଉକୁଳେଇଙ୍କ ପୀଠରେ ପହଞ୍ଚି ସିଦ୍ଧ ପୁଷ୍କରିଣୀ ଜଳରେ ସ୍ନାନ କରି ମା’ଙ୍କ ଝୁଣା ଧୂପ ଏବଂ ପାଦୁକ ପାଣି ପାଇଲେ ରୋଗରୁ ରୋଗୀଙ୍କୁ ମୁକ୍ତି ମିଳେ । ତ୍ରିବେଣୀ ଅମାବାସ୍ୟା ଦିନ ମା’ଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହିଦିନ ହଜାର ହଜାର ମହିଳା ନିଜର ମନୋକାମନା ପୂରଣ ପାଇଁ ସିଦ୍ଧ ପୁଷ୍କରିଣୀରେ ବୁଡ଼ ପକାଇ ମା’ଙ୍କ ପୀଠରେ କଳସ ସ୍ଥାପନା କରନ୍ତି । ଏଭଳି କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ମା’ଙ୍କ ପୀଠରେ ତ୍ରିବେଣୀ ଅମାବାସ୍ୟା ଦିନ ଶତାଧିକ ମହିଳା କଳସ ସ୍ଥାପନା କରନ୍ତି ଏବଂ ମା’ ଉକୁଳେଇ ଭକ୍ତ ମାନଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ଶ୍ରଦ୍ଧାଳୁ ମାନଙ୍କ ବିଶ୍ବାସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.