ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏନ୍ତୁଡ଼ି ଶାଳ: ଦେଉଳି ମଠରେ ଆରମ୍ଭ ହୋଇଛି ଜଗନ୍ନାଥ ପଞ୍ଚରାତ୍ର

ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହଙ୍କ ଏନ୍ତୁଡ଼ିଶାଳ ଭାବରେ ପରିଚିତ ହେଉଛି କାକଟପୁରର ଦେଉଳିମଠ । ନବକଳେବର ସମୟରେ ଏହି ଦେଉଳିମଠ ପାଲଟିଯାଏ ଶ୍ରୀକ୍ଷେତ୍ର । ଏହି ଦେଉଳିମଠରେ ଦଇତାପତି ମାନେ ସ୍ଵପ୍ନାବତୀ ମନ୍ତ୍ର ପାଠ କରି ମା ମଙ୍ଗଳାଙ୍କୁ ଧ୍ୟାନ କରି ଅଧିଆ ପଡିଥାନ୍ତି ।

ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହଙ୍କ ଏନ୍ତୁଡ଼ିଶାଳ ଭାବରେ ପରିଚିତ ହେଉଛି କାକଟପୁରର ଦେଉଳିମଠ । ନବକଳେବର ସମୟରେ ଏହି ଦେଉଳିମଠ ପାଲଟିଯାଏ ଶ୍ରୀକ୍ଷେତ୍ର । ଏହି ଦେଉଳିମଠରେ ଦଇତାପତି ମାନେ ସ୍ଵପ୍ନାବତୀ ମନ୍ତ୍ର ପାଠ କରି ମା ମଙ୍ଗଳାଙ୍କୁ ଧ୍ୟାନ କରି ଅଧିଆ ପଡିଥାନ୍ତି । ମା ମଙ୍ଗଳା ଦଇତାପତି ମାନଙ୍କୁ ସ୍ଵପ୍ନାଦେଶ ଦେଇ ଦାରୁର ଠିକଣା ଦେଇଥାନ୍ତି । ସେଥିପାଇଁ ଏହି ଦେଉଳିମଠର ସ୍ଵତନ୍ତ୍ର ମହତ୍ଵ ରହିଛି ।

ଗଜପତି ମହାରାଜଙ୍କ ନେତୃତ୍ବ ଏବଂ ପରାମର୍ଶରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସହିତ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ଜାଣିବା ପାଇଁ ସନ୍ଥ ସତ୍ୟାନନ୍ଦ ଦାସ ମହାରାଜଙ୍କ ଆବାହକରେ ରାଜ୍ୟ ତଥା ରାଜ୍ୟ ବାହାରେ ଆରମ୍ଭ ହୋଇଛି ଜଗନ୍ନାଥ ପଞ୍ଚରାତ୍ର । କିଛି ବର୍ଷ ହେବ ଦେଉଳି ମଠରେ ଏହି ଜଗନ୍ନାଥ ପଞ୍ଚରାତ୍ର ଆରମ୍ଭ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏକ ସ୍ଵତନ୍ତ୍ର ଭାବରେ ଏହି ଜଗନ୍ନାଥ ପଞ୍ଚରାତ୍ର ଆରମ୍ଭ ହୋଇଛି । ଏହି ଅବସରରେ ଦେଉଳିମଠ ପରିସରରେ ମହାପ୍ରଭୁଙ୍କ ବିଭିର୍ନ ପର୍ବପର୍ବାଣୀ ସମୟରେ ଏବଂ ଦୈନନ୍ଦିନ ଶ୍ରୀମନ୍ଦିର ମଧ୍ୟରେ ହେଉଥିବା ୨୪ ଗୋଟି ବେଶକୁ ପ୍ରଦର୍ଶନ କରାଯାଇଛି ।

ସେହିଭଳି ମହାପ୍ରଭୁଙ୍କ ୫୬ ପ୍ରକାରର ଭୋଗକୁ ମଧ୍ୟ ପ୍ରଦର୍ଶନ କରାଯାଇଛି । ଜଗନ୍ନାଥ ପଞ୍ଚରାତ୍ରର ପ୍ରଥମ ରଜନୀରେ ମହାପ୍ରଭୁଙ୍କ ୨୪ ବେଶକୁ ଜଗନ୍ନାଥ ପଞ୍ଚରାତ୍ରର ପ୍ରବକ୍ତା ସନ୍ଥ ସତ୍ୟାନନ୍ଦ ଦାସ ମହାରାଜ, ରାଧାବଲ୍ଲଭ ମଠର ମଠାଧୀଶ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ, ଛତିଶା ନିଯୋଗର ମୁଖ୍ୟ ଜନାର୍ଦନ ପାଟଜୋଶୀ ସନ୍ଥ ଶୁଭାନନ୍ଦ ଗିରି ଶୁଭ ଉଦ୍ଘାଟନ କରିଥିଲେ । ପ୍ରତ୍ୟକ ଦିନ ମହାପ୍ରଭୁଙ୍କ ବିଭିର୍ନ ୨୪ ବେଶ ସାଙ୍ଗକୁ ୫୬ ଭୋଗ ଦର୍ଶନ କରିବା ସହିତ ସ୍କନ୍ଦ ପୁରାଣରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗାଥାକୁ ହଜାର ହଜାର ଶ୍ରଦ୍ଧାଳୁ ଏବଂ ଜଗନ୍ନାଥ ପ୍ରେମୀ ଶ୍ରବଣ କରୁଛନ୍ତି । ସ୍କନ୍ଦ ପୁରାଣରେ ଜଗନ୍ନାଥ ମହାପ୍ରଭୁଙ୍କ ଇତିବୃତ ବର୍ଣିତ ହୋଇଥିବା ବେଳେ ଏହାକୁ ସରଳ ଭାଷାରେ ଜଗନ୍ନାଥଙ୍କ ଲୀଳାକୁ କଥା ଆକାରରେ ପ୍ରବଚନ ଦେଉଛନ୍ତି ସନ୍ଥ ସତ୍ୟାନନ୍ଦ ମହାରାଜ ।

ମହାପ୍ରଭୁ କେମିତି ଆସିଲେ କିଭଳି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହେଲେ ଏବଂ ମହାପ୍ରଭୁଙ୍କ ଦୈନନ୍ଦିନ ରୀତି ନୀତି ସେବା ପୂଜା ଏବଂ ବେଶ ଉପରେ ଅନେକ ଦିବ୍ୟ କଥାକୁ ପ୍ରବଚନ ଆକାରରେ ଭକ୍ତ ମାନେ ଶ୍ରବଣ କରୁଛନ୍ତି । ଏହି ପଞ୍ଚରାତ୍ରରେ ପ୍ରତ୍ୟକ ଦିନ ମହାନ ସାଧୁ ସନ୍ଥମାନେ ଏଠାରେ ଯୋଗ ଦେଇ ଜଗନ୍ନାଥଙ୍କ ଲୀଳା ସମ୍ପର୍କରେ ଲୋକମାନଙ୍କୁ ସୁଣାଉଛନ୍ତି । ଏହି ପାଞ୍ଚଦିନ ପାଇଁ ଦେଉଳିମଠ ଶ୍ରୀକ୍ଷେତ୍ର ପାଲଟି ଯାଇଛି । ସ୍ତାନୀୟ ଅଞ୍ଚଳ ଏବଂ ଦୂର ଦୂର ଅଞ୍ଚଳରୁ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଦେଉଳି ମଠରେ ପହଞ୍ଚି ମହାପ୍ରଭୁଙ୍କ ଗୋଟିଏ ଜାଗାରେ ଏକାଧିକ ବେଶ ଦର୍ଶନ କରିବା ସହିତ ୫୬ ଭୋଗକୁ ଦେଖିବାର ସୁଯୋଗ ପାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.