ଘୋଡ଼ ଅଧିବାସ ନୀତି କଣ ? ଜାଣନ୍ତୁ ଏହି ନୀତିର ବିଶେଷ ମହତ୍ତ୍ୱ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢ଼ଣ ଷଷ୍ଠୀ ନୀତି ପାଳିତ ହୋଇଯାଇଛି । ମାର୍ଗଶିର ଶୁକ୍ଳ ପଞ୍ଚମୀ ଦିନ ମହାପ୍ରଭୁଙ୍କ ଘୋଡ଼ ଅଧିବାସ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ଏହି ନୀତିର ବିଶେଷତ୍ତ୍ୱ କଣ ରହିଛି ଆସନ୍ତୁ ଜାଣିବା ।

ମହାପ୍ରଭୁଙ୍କର ତ ଅନେକ ନୀତି ପାଳନ କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ମହାପ୍ରଭୁଙ୍କ ଘୋଡ଼ ଅଧିବାସ ନୀତି କଣ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢ଼ଣ ଷଷ୍ଠୀ ନୀତି ପାଳିତ ହୋଇଯାଇଛି । ମାର୍ଗଶିର ଶୁକ୍ଳ ପଞ୍ଚମୀ ଦିନ ମହାପ୍ରଭୁଙ୍କ ଘୋଡ଼ ଅଧିବାସ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବଡ଼ ସିଂହାର ଭୋଗ ବଢ଼ି ସାରିବା ପରେ ପୂଜା ପଣ୍ଡାଙ୍କ ଦ୍ଵାରା ଭୋଗ ମଣ୍ଡପ ଘରେ ମହାପ୍ରଭୁ ମାନଙ୍କ ପାଇଁ ଘୋଡ ବସ୍ତ୍ର ଅଧିବାସ କରାଯାଇଥାଏ । ପରେ ଶ୍ରୀ ବିଗ୍ରହ ମାନଙ୍କ ମଇଲମ ହୋଇ ମହାସ୍ନାନ ନୀତି ହୋଇ ଝିନ ପତନି ଲାଗି ହୋଇ ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଏହି ନୀତିର ବିଶେଷତ୍ତ୍ୱ କଣ ରହିଛି ଆସନ୍ତୁ ଜାଣିବା ।

ଏହି ବିଶେଷ ଦିନରେ ମହାପ୍ରଭୁ ଶୀତ ଋତୁ ସହ ଯୁଦ୍ଧ କରି ଶୀତ ଋତୁ ର ମାନ ରଖିବା ପାଇଁ ମହାପ୍ରଭୁ ନିଜେ ପରାଜୟ ସ୍ୱୀକାର କରି ଶୀତ ବସ୍ତ୍ର ପରିଧାନ କରନ୍ତି । ଦୀର୍ଘ ଦୁଇ ମାସ ଧରି ଅର୍ଥାତ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ଯାଏଁ ମହାପ୍ରଭୁ ଘୋଡ ଲାଗି ବେଶ ହୁଅନ୍ତି । ଶୀତକୁ ଭ୍ରୁକ୍ଷେପ ନକରି ଆଜି ମହାପ୍ରଭୁ ବଡ଼ସିଂହାର ବେଶରେ ଖଣ୍ଡୁଆ ପାଟ ପରିବର୍ତ୍ତେ ପତଳା ପତନି ବା ଝୀନବସ୍ତ୍ର ଲାଗି ହୁଅନ୍ତି । ଏହା ଦେଖି ଶୀତ ଋତୁ ଶ୍ରୀରଙ୍ଗା ଚରଣ ତଳେ ଗୁହାରି କରେ” ହେ ମହାପ୍ରଭୁ! ହେ ମୋର ସ୍ରଷ୍ଟା ଯଦି ଆପଣ ମୋର ଅସ୍ତିତ୍ୱକୁ ଅସ୍ବୀକାର କରନ୍ତି, ତେବେ ପୃଥ୍ବୀ ବାସୀ ମୋତେ କାହିଁକି ବା ଗ୍ରହଣ କରିବେ! ମୋର ବିଶେଷତ୍ୱ ବା କଣ ରହିବ!” ଏହା ଶୁଣି ମହାପ୍ରଭୁ ଶୀତକୁ ଆଶ୍ୱାସନା ଦିଅନ୍ତି ଏବଂ ଶୀତ ଦାଉରୁ ନିଜକୁ ରକ୍ଷା କରିବା ନିମନ୍ତେ ଘୋଡ଼ଲାଗି ଅଧିବାସ ପାଇଁ ଆଜ୍ଞା ଦିଅନ୍ତି ।

ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଘୋଡ଼ ଅଧିବାସର ବିଶେଷ ମହତ୍ତ୍ଵ ରହିଛି । ଦ୍ଵାଦଶ ଯାତ୍ରାରେ ଯେତେବେଳେ ମହାପ୍ରଭୁଙ୍କୁ କୌଣସି ବିଶେଷ ବସ୍ତ୍ର କିମ୍ବା ଅଭିଷେକ ଉଦ୍ଦେଶ୍ୟରେ ଜଳ ଅଥବା ଚନ୍ଦନ ଲାଗି କରାଯାଏ,ତାହାକୁ ଅଭିମନ୍ତ୍ରିତ କରାଯାଇ ସଂସ୍କାର ପୂର୍ବକ ଏହାର ଶୁଦ୍ଧତାକୁ ବହୁଗୁଣିତ କରାଯାଏ ।

ଆଜି ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କର ରାତ୍ର ଚନ୍ଦନ ଲାଗି ନୀତି ବଢିବା ପରେ ଆଗରୁ ଧୋ ପଖାଳ ହୋଇ ଚାନ୍ଦୁଆ ଟଣା ଯାଇଥିବା ଭୋଗମଣ୍ଡପ ଘରେ ପୂଜାପଣ୍ଡା ୩ ଗୋଟି ମଣ୍ଡଳ କାଟିଥାନ୍ତି ଏବଂ ଭଣ୍ଡାର ମେକାପ ଏହା ଉପରେ ଶ୍ରୀଜୀଉଙ୍କ ଘୋଡ଼ ଅଧିବାସ ନିମନ୍ତେ ରଖିଥାନ୍ତି । ଏହାପରେ ପୂଜାପଣ୍ଡା ଅଧିବାସ ନୀତି କରିବା ପରେ ଦୁଆର ମୁଦ ଦିଆ ଯାଇଥାଏ । ମୋଟ ୧୨ଟି ଘୋଡ଼ ଯଥା ଚତୁର୍ଦ୍ଧା ବିଗ୍ରହଙ୍କ ସମେତ ବିମଳା , ଲକ୍ଷ୍ମୀ , ମଦନମୋହନ , ଶ୍ରୀଦେବୀ , ଭୂଦେବୀଙ୍କ ଘୋଡ଼ ଅଧିବାସ ହୋଇଥାଏ । ପରେ ଭୋଗମଣ୍ଡପ ଘର ଦ୍ୱାରମାନ ବନ୍ଦ କରାଯାଇ ମୁଦ ଦିଆଯାଇଥାଏ ।

ଆଜି ଦୁଇଥର ମହାପ୍ରଭୁ ବଡସିଂହାର ବେଶ ହୁଅନ୍ତି ବଡ଼ସିଂହାର ବେଶ ବଢ଼ିବା ପରେ ତିନି ବାଡ଼ରେ ମଇଲମ ହୋଇ ଝିନ ପତନୀ ଲାଗି ହୋଇଥାଏ । ଏହାପରେ ଘଟୁଆରୀ ଘରୁ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ , ଘଣ୍ଟ , ଛତା , କାହାଳୀ ପଟୁଆରରେ ଚନ୍ଦନ ବିଜେ କରାଇ ସର୍ବାଙ୍ଗ ଚନ୍ଦନ ଲାଗି କରିଥାନ୍ତି । ଏହାପରେ ବିଡ଼ିଆ ମଣୋହି ହୋଇ ପହୁଡ଼ ନୀତି ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.