ଟିଭି ଅଭିନେତ୍ରୀ ଡୋନଲ୍ ବିଷ୍ଟ ହୋଇଥିଲେ କାଷ୍ଟିଂ କାଉଚ୍ର ଶିକାର, ଗୋଟିଏ ରୋଲ୍ ପାଇଁ ବେଡ୍ ସେୟାର କରିବାକୁ କହିଥିଲେ ଫିଲ୍ମ ନିର୍ମାତା

ବଲିଉଡ୍ରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ, ସବୁଠି କାଷ୍ଟିଂ କାଉଚ୍ର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଇତି ମଧ୍ୟରେ ‘ଦିଲ୍ ତୋ ହାପ୍ପି ଜି’ ଫେମ୍ ଡୋନଲ୍ ବିଷ୍ଟ ଏକ ବଡ଼ ଖୁଲାସା କରିଛନ୍ତି। ଡୋନଲ୍ ନିଜ ସଂଘର୍ଷ ଦିନର କାହାଣୀ କହିଛନ୍ତି। ଡୋନଲ୍ କହିଛନ୍ତି, ଗୋଟେ ସମୟରେ ମୁଁ ଏକ ଶୋ’ ପାଇଁ ସିଲେକ୍ଟ ହୋଇଥିଲି। ଟଙ୍କା ମଧ୍ୟ ସ୍ଥିର ହୋଇସାରିଥିଲା ଓ ତାରିଖ ବି ମିଳିସାରିଥିଲା। କିନ୍ତୁ ହଠାତ୍ ମୋତେ ଶୋ’ରୁ ବାହାର କରିଦିଆଗଲା ଓ କୁହାଗଲା ଯେ ଚ୍ୟାନେଲକୁ ଆଉ ଜଣେ ଝିଅ ଦରକାର। ସେତେବେଳେ ମୋତେ ଓ ମୋ’ପରିବାରକୁ ଲାଗିଲା ଯେ ପୂରା ଇଣ୍ଡଷ୍ଟ୍ରୀ ହିଁ ମିଛ।
ଏହା ପରେ କିଛି ଦିନ ପାଇଁ ମୁଁ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲି। କିନ୍ତୁ ଆକ୍ଟିଂ ପ୍ରତି ମୋ ଭୋକ ଇଣ୍ଡଷ୍ଟ୍ରୀରୁ ମୋତେ ଅଧିକ ଦିନ ଦୂରେଇ ପାରିନଥିଲା। ତା’ପରେ ପୁଣିଥରେ ମୁଁ ଅଡିସନ୍ ଦେଇଥିଲି। ଏହା ପରେ ମୁଁ ଜଣେ ଫିଲ୍ମ ନିର୍ମାତାଙ୍କ ସଂସ୍ପର୍ଶରେ ଆସିଥିଲି। ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଥିଲେ। ସେ ମୋତେ ଗୋଟେ ରୋଲ୍ ଦେବା ପାଇଁ ତାଙ୍କ ସହ ଶୋଇବାକୁ କହିଥିଲେ। ମୁଁ ତାଙ୍କ ବିରୋଧରେ ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲି। ତା’ ପରେ ମୁଁ ସଂଘର୍ଷ ଜାରି ରଖିଥିଲି ଓ ଶେଷରେ ମୋତେ ଇଣ୍ଡଷ୍ଟ୍ରୀରେ ବ୍ରେକ୍ ମିଳିଥିଲା ବୋଲି କହିଛନ୍ତି ଡୋନଲ ବିଷ୍ଟ।
ଡୋନଲ କହିଛନ୍ତି, ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ମୁଁ ଜଣେ ସାମ୍ବାଦିକା ଥିଲି। କିନ୍ତୁ ମୋ କାମକୁ ନେଇ ମୁଁ ସନ୍ତୁଷ୍ଟ ନଥିଲି। ମୋତେ ଗ୍ଲାମର୍ସ ଦୁନିଆ ପସନ୍ଦ ଥିଲା ଓ ମୁଁ ଅଭିନୟ କରିବାକୁ ଚାହୁଁଥିଲି। ଏଣୁ ସାମ୍ବାଦିକତା ଛାଡ଼ି ଫିଲ୍ମରେ ଟ୍ରାଏ କଲି। ଭାଗ୍ୟବଶତଃ ମୋତେ ଏ କ୍ଷେତ୍ରରେ ମଧ୍ୟ ସଫଳତା ମିଳିଲା ବୋଲି କହିଛନ୍ତି ଡୋନଲ। ପ୍ରକାଶ ଯେ, ଅଭିନେତ୍ରୀ ଡୋନଲ୍ ବିଷ୍ଟ ୨୦୧୫ ମସିହାରେ ଷ୍ଟାର ପ୍ଲସ୍ର ଶୋ’ ଏୟାରଲାଇନରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ।