ନେଉଳ ସହ ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଆଇନ୍ ଫାଶରେ ବଙ୍ଗାଳୀ ଅଭିନେତ୍ରୀ ଶ୍ରୀବନ୍ତୀ ଚାଟାର୍ଜୀ

ବଢ଼ିଲା ବଙ୍ଗାଳୀ ଅଭିନେତ୍ରୀ ଶ୍ରୀବନ୍ତୀ ଚାଟାର୍ଜୀଙ୍କ ସମସ୍ୟା। ଏଇ କିଛି ଦିନ ହେବ ତାଙ୍କର ଅସୁବିଧା ପରେ ଅସୁବିଧା ବଢ଼ୁଛି। ଫଟୋ ସେୟାର କରି ଫସିଯାଇଛନ୍ତି ଏହି ବଙ୍ଗାଳୀ ସୁନ୍ଦରୀ। ନିକଟରେ ଶ୍ରୀବନ୍ତୀ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ। ଫଟୋରେ ସେ ଚେନ୍ରେ ବନ୍ଧା ହୋଇଥିବା ଏକ ନେଉଳକୁ ଧରିଥିଲେ। ଏହି ନେଉଳ ହିଁ ଏବେ ଶ୍ରୀବନ୍ତୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଚେନ୍ ବନ୍ଧା ଯାଇଥିବା ନେଉଳକୁ ନେଇ ଏବେ ବନ ବିଭାଗ ଓ ବନ୍ୟଜୀବ ସଂରକ୍ଷଣ ପାଇଁ କାମ କରୁଥିବା ସଂସ୍ଥା ତାଙ୍କୁ ଘେରିଛନ୍ତି। ଏମିତି କି ମାମଲା ଏବେ କୋର୍ଟ ଯାଏଁ ବି ପହଞ୍ଚିଛି।
ଶ୍ରୀବନ୍ତୀଙ୍କ ବିରୋଧରେ ଫେବ୍ରୁଆରୀ ୧୫ରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ୧୯୭୨ର ବିଭିନ୍ନ ଧାରାରେ ନୋଟିସ୍ ଜାରି କରାଯାଇଥିଲା। ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। କିନ୍ତୁ ସେ ଦୁଇଟି ତାରିଖରେ ଉପସ୍ଥିତ ହୋଇନଥିଲେ। ଏହା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ସେ ସୋମବାର ଓ ତା’ ପରେ ମଙ୍ଗଳବାର ଅଫିସରଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ ରଖିଛନ୍ତି।
View this post on Instagram
ରିପୋର୍ଟ ମୁତାବକ, ଶ୍ରୀବନ୍ତୀ ଅଫିସରଙ୍କୁ କହିଥିଲେ ଯେ ସେ ଏକ ଫିଲ୍ମର ସୁଟିଂ କରୁଥିଲେ। ସେଥିପାଇଁ ନେଉଳ ଆସିଥିଲା। ସେ କେବଳ ତାକୁ ହାତରେ ଧରି ଫଟୋ ଉଠାଇଥିଲେ। ଭଲ ଲାଗିବାରୁ ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। କଥା କେବଳ ଏତିକି।
ତାଙ୍କ କହିବାନୁସାରେ, ନେଉଳର ମାଲିକ ମଧ୍ୟ ବନ ବିଭାଗକୁ ଏହି କଥା କହିଛନ୍ତି। କିନ୍ତୁ ଅଫିସରମାନେ ଏବେ ଅଧିକ ତଦନ୍ତ କରୁଥିବାରୁ ତାଙ୍କୁ ଡାକି ପଚରା ଉଚରା କରିଛନ୍ତି। ବିଭାଗ ପକ୍ଷରୁ ତାଙ୍କ ଡ୍ରାଇଭର ଓ ମେକ୍ଅପ୍ ଆଟିଷ୍ଟଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ପ୍ରକାଶ ଯେ ବନ ବିଭାଗର ନିୟମ ମୁତାବକ କୌଣସି ବନ୍ୟ ଜନ୍ତୁଙ୍କୁ ଘରେ ବାନ୍ଧି ରଖିବା ଆଇନତଃ ଅପରାଧ। ଯଦି କେହି ଏଭଳି ଅପରାଧ କରେ ତେବେ ତାକୁ ୭ ବର୍ଷ ଯାଏଁ ଜେଲ୍ ବି ହୋଇପାରେ।
Also Read: ସବୁ ଦିନ ପାଇଁ WORK FROM HOME ! କର୍ମଚାରୀଙ୍କ ପାଇଁ ଏଭଳି ସୁବିଧା ଘୋଷଣା କଲା ଟ୍ଵିଟର