୨୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି

ବଙ୍ଗାଳୀ ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ରବିବାର ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ସିରିଏଲ୍‌ ‘ମୋନ୍‌ ମାନେ ନା’ର ଲିଡ୍‌ ଅଭିନେତ୍ରୀ ପଲ୍ଲବୀ ଦେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋଲକାତାର ଗରଫାରେ ଥିବା ଫ୍ଲାଟ୍‌ରୁ ପଲ୍ଲବୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଯଦିଓ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଫ୍ଲାଟ୍‌ରେ ହିଁ ସେ ମୃତ ଅବସ୍ଥାରେ ମିଳିଥିଲେ। ରୁମ୍‌ର ଫ୍ୟାନରେ ସେ ରାଶି ଲଗାଇ ଝୁଲି ପଡ଼ିଥିଲେ।

ମିଡିଆ ରିପୋର୍ଟ ମୁତାବକ, ଏହି ମାମଲାରେ ପୋଲିସ ଏବେ ତଦନ୍ତ ଆରମ୍ଭ କରି ଦେଇଛି ଏବଂ ମୃତ୍ୟୁ ପଛର କାରଣ ଖୋଜିବାରେ ଲାଗି ପଡ଼ିଛି। ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ କହିଛି। ମାତ୍ର ୨୦ ବର୍ଷ ବୟସରେ ଏହି ଲୋକପ୍ରିୟ ଅଭିନେତ୍ରୀ ନିଜ ଜୀବନ ହାରି ଦେଇଛନ୍ତି। ତାଙ୍କ ମୃତ୍ୟୁ ପଛର କାରଣ କ’ଣ ରହିଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସେପଟେ ଅଭିନେତ୍ରୀ ପଲ୍ଲବୀଙ୍କ ମୃତ୍ୟୁରେ ପୂରା ବଙ୍ଗାଳୀ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। ପଲ୍ଲବୀଙ୍କ କୋ-ଷ୍ଟାର ଅନାମିତ୍ରା ବତବୟାଲ କହିଛନ୍ତି, ‘ଏହି ଘଟଣାକୁ ନେଇ ମୁଁ ବହୁତ ଆଶ୍ଚର୍ଯ୍ୟ ଅଛି। କାହିଁକି ନା, ଆମେ ମେ’ ୧୨ରେ ଟିଭି ସିରିଏଲ ପାଇଁ ଏକାଠି ଶୁଟ୍‌ କରିଥିଲୁ ଏବଂ ପୁଣି ପରସ୍ପର ସହିତ କଥା ମଧ୍ୟ ହୋଇଥିଲୁ। ଏବେ ବି ଏହି ଖବର ଉପରେ ମୁଁ ବିଶ୍ୱାସ କରିପାରୁ ନାହିଁ’। ଟିମ୍‌ର ଅନ୍ୟ ଜଣେ ସଦସ୍ୟ କହିଛନ୍ତି, ‘ପଲ୍ଲବୀ ଦୁଇ ଦିନ ପୂର୍ବରୁ ଶୁଟିଂରେ ଯୋଗ ଦେଇଥିଲେ। ଆମକୁ ଜଣା ନ ଥିଲା ଯେ ସେ କୌଣସି କଥାକୁ ନେଇ ଏତେ ଉଦାସ କିମ୍ବା ଚିନ୍ତିତ ଥିଲେ’।

କହି ରଖୁଛୁ, ପଲ୍ଲବୀ ଦେ ଟିଭି ସିରିଏଲ୍‌ ‘ରେଶମ୍‌ ଝମ୍ପି’ରୁ ବଙ୍ଗାଳୀ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହାପରେ ସେ ‘ଅମୀ ସିରାଜର ବେଗମ୍‌’ରେ କାମ କରିଥିଲେ, ଯେଉଁଥିରେ ସିନ୍‌ ବାନାର୍ଜୀ ମେଲ୍‌ ଲିଡ୍‌ରେ ଥିଲେ। ଯଦିଓ ଏହି ସିରିଏଲ୍‌ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରି ନ ଥିଲା। କିନ୍ତୁ ପଲ୍ଲବୀଙ୍କୁ ଏହି ସିରିଏଲ୍‌ରୁ ଅନେକ ପ୍ରଶଂସା ମିଳିଥିଲା। ଅଭିନେତ୍ରୀ ‘ମୋନ୍‌ ମାନେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ଏବଂ ଶ୍ୟାମ୍‌ ଭଟ୍ଟାଚାର୍ଯ୍ୟ ମେଲ୍‌ ଲିଡ୍‌ରେ ଥିଲେ। ପଲ୍ଲବୀଙ୍କ ନିଧନ ଖବର ଶୁଣି ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.