ସଲମାନ୍‌ ଖାନ୍‌ଙ୍କ ଘରକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦେଲା ଏହି ଯୁବକ, ଆକ୍ସନ୍‌ ମୋଡ୍‌ରେ ପୋଲିସ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଗାଜିଆବାଦର ଜଣେ ୧୬ ବର୍ଷୀୟ ଯୁବକ ମୁମ୍ବାଇ ପୋଲିସକୁ ଇମେଲ ପଠାଇ ସଲମାନ୍‌ ଖାନ୍‌ଙ୍କ ଘରକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦେଇଛି। ଇମେଲ ପଢ଼ିବା ପରେ ପୋଲିସ ଆକ୍ସନ୍‌ ମୋଡ୍‌କୁ ଆସିଛି।

ରିପୋର୍ଟ ମୁତାବକ ଏହି ମେଲ ଡିସେମ୍ବର ୪ ତାରିଖରେ ଗାଜିଆବାଦରୁ ବାନ୍ଦ୍ରା ପୋଲିସକୁ ପଠାଯାଇଥିଲା। ମେଲ୍‌ରେ ଲେଖାଥିଲା ବାନ୍ଦ୍ରାରେ ଗ୍ୟାଲେକ୍ସି, ସଲମାନ୍‌ ଖାନ୍‌ଙ୍କ ଘର ଉପରେ ଆଗାମୀ ଦୁଇ ଘଣ୍ଟାରେ ବ୍ଲାଷ୍ଟ ହେବ, ରୋକି ପାରିବ ଯଦି ରୋକ। ଏହି ମେଲ ବିଷୟରେ ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ସଲମାନଙ୍କ ମୁମ୍ବାର ବାନ୍ଦ୍ରାସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚିବା ବେଳେ ଘରେ ସଲମାନ ନଥିଲେ। ଘରେ କେବଳ ସଲମାନଙ୍କ ମା’ ଓ ଭଉଣୀ ଥିଲେ। ପୋଲିସ ତରଫରୁ ଘରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ କିଛି ମିଳିନଥିଲା।

ଅନ୍ୟପଟେ ଇମେଲ ଆଡ୍ରେସ୍‌ରୁ ମେଲ୍‌ଟି ଗାଜିଆବାଦରୁ ଆସିଥିବା ପୋଲିସ ଜାଣିବାକୁ ପାଇଥିଲା। ଗାଜିଆବାଦର ଜଣେ ୧୬ ବର୍ଷୀୟ ବାଳକ ଏହି ମେଲ ପଠାଇଥିଲା। କିନ୍ତୁ ପୋଲିସ ପିଲାଟିର ଘରେ ଯାଇ ଖୋଜାଖୋଜି କରିବାରୁ ତାଙ୍କୁ ପାଇନଥିଲା। ଏନେଇ ପିଲାଟିର ବଡ଼ ଭାଇ ସହ କଥା ହୋଇ ପୋଲିସ ତାଙ୍କୁ ଘରକୁ ଡାକିଥିଲେ। ସେ ଘରେ ପହଞ୍ଚିବା ପରେ ତାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନ୍‌ରେ ହାଜର କରାଯାଇଥିଲା। ପରେ ତାଙ୍କୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ ତାଙ୍କୁ ଖଲାସ କରିଥିଲେ।

ସୂଚନାଯୋଗ୍ୟ ଯେ, ସଲମାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ ଚଳିତମାସରେ ହଲ୍‌କୁ ଆସୁଛି। ଏହି ବିଗ୍‌ ବଜେଟ୍‌ ଫିଲ୍ମରେ ସଲମାନଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଛୋଟ ପରଦାର ସବୁଠାରୁ ହିଟ୍‌ ଶୋ’ ବିଗ୍‌ବସ୍‌-୧୩କୁ ବର୍ତ୍ତମାନ ସଲମାନ ଖାନ୍‌ ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.