ଆଜି ବି ସୋନୁଙ୍କ ଘରେ ଆୟକର ବିଭାଗ ଟିମ, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କରାଯାଉଛି ଯାଞ୍ଚ
ବୁଧବାର ସୋନୁ ସୁଦଙ୍କ ବାସଗୃହ ସମେତ ୬ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ସର୍ଭେ କରାଯିବା ପରେ ପୁଣି ଥରେ ବିଭାଗର ଗୋଟିଏ ଦଳ ଆଜି ଆକ୍ଟରଙ୍କ ଘରେ ପହଂଚିଥିଲେ । ବିଭାଗର ଅଧିକାରୀ ମାନେ ସୋନୁଙ୍କ ଆକାଉଣ୍ଟ ବୁକ ଠାରୁ ଆରମ୍ଭ କରି ତାଙ୍କ ଆୟବ୍ୟୟ ପରି ଦସ୍ତାବିଜ ଗୁଡିକୁ ଯାଞ୍ଚ କରୁଛନ୍ତି । ଅନ୍ୟପଟରେ ସୋନୁଙ୍କ ଘରେ ହେଉଥିବା ଏହି ସର୍ଭେକୁ କଡ଼ା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସୋନୁଙ୍କ ଘରେ ହୋଇଥିବା ଏହି ସର୍ଭେ ଲଖନଉର ଜଣେ ବଡ ବ୍ୟବସାୟୀ ଅନିଲ ସିଂହଙ୍କ ସହ ଜଡିତ । ନିକଟରେ ଅନିଲଙ୍କ ଅଫିସରେ ବି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ଚଢ଼ାଉ କରାଯାଇଥିଲା । କହିରଖିବା ଉଚିତ ହେବକି ସୋନୁ ସୁଦ ଓ ଅନିଲ ସିଂହ ବ୍ୟବସାୟରେ ପାର୍ଟନର ଅଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସୋସିଆଲ ମିଡିଆରେ ସୋନୁ ଖୁବ ଆକ୍ଟିଭ ରୁହନ୍ତି । କିନ୍ତୁ ଆୟକର ବିଭାଗର ଏହି ସର୍ଭେକୁ ନେଇ ଏଯାବତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୋଲାଖୋଲି ଭାବରେ ଏହାକୁ ଵିରୋଧ କରିଛନ୍ତି । ଆଉ ଟ୍ୱିଟ କରି କହିଛନ୍ତିକି, “ସତ୍ୟର ପଥରେ କିଛି ନା କିଛି ବାଧାବିଘ୍ନ ଆସିଥାଏ । କିନ୍ତୁ ବିଜୟ ସବୁବେଳେ ସତ୍ୟର ହିଁ ହୋଇଥାଏ । ସୋନୁଙ୍କ ସହ ଲକ୍ଷଲକ୍ଷ ଭାରତୀୟ ମାନଙ୍କ ଆଶୀର୍ବାଦ ରହିଛି । ଯାହାକି ତାଙ୍କୁ କଠିନରୁ କଠିନ ସ୍ଥିତିରୁ ବି ରକ୍ଷା କରିବ ।”
କିଛି ଦିନ ତଳେ ହିଁ ସୋନୁଙ୍କୁ ଦିଲ୍ଲୀ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ମେଣ୍ଟରସିପ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସେଡର ଭାବରେ ନିଯୁକ୍ତି କରାଯାଇଥିଲା । ଖୁବଶୀଘ୍ର ସୋନୁ ଆମ ଆଦମୀ ପାର୍ଟିରେ ମିଶି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହି ସମୟରେ ସୋନୁ ଦିଲ୍ଲୀ ସରକାରଙ୍କ ପଦକ୍ଷେପ ଗୁଡିକର ପ୍ରଶଂସା ମଧ୍ୟ କରିଥିଲେ । ୨୦୨୦ରେ ଆରମ୍ଭ ହୋଇଥିବା କରୋନା ମହାମାରୀ ସମୟରେ ସୋନୁ ସୁଦ ପ୍ରବାସୀ ଶ୍ରମିକ ମାନଙ୍କ ସାହାଯ୍ୟ କରି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଥିଲେ ।