Below header

ହୃଦଘାତରେ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ମୃତ୍ୟୁ

କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା  । ଆଜି ସକାଳ ସମୟରେ ଜିମରେ ଏକ୍ସରସାଇଜ କରୁଥିବା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ “ବିକ୍ରମ ହସ୍‌ପିଟାଲ୍‌”ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ପୁନିତ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ । ସେ ଏଯାବତ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି । ତାଙ୍କୁ ୨୪ ଟି ବେଷ୍ଟ ଆକ୍ଟର ଆୱାର୍ଡ ଓ ୩୫ ଥର ତାଙ୍କ ନାଁ ନୋମିନେସନ ଲିସ୍ଟକୁ ଯାଇଥିଲା । ସେ ପ୍ରାୟ ୫୦ରୁ ଅଧିକ ସଂଖ୍ୟକ ଫିଲ୍ମରେ ଅଭିନୟ କରିଛନ୍ତି ।

ପ୍ରଥମେ ପୁନୀତ୍ ଜଣେ ଶିଶୁ କଳାକାର ଭାବେ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଜଣେ
ଶ୍ରେଷ୍ଠ ଶିଶୁ କଳାକାର ଭାବରେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା । ପୁନୀତ୍‌ଙ୍କ ଫ୍ୟାନ୍‌ସ ମାନେ ଶ୍ରଦ୍ଧାରେ ତାଙ୍କୁ “ଆପୁ” ବୋଲି ସମ୍ବୋଧନ କରନ୍ତି । ଏହା ପଛରେ ବି ଏକ କାହାଣୀ ରହିଛି | ୨୦୦୨ରେ ସେ “ଆପ୍ପୁ” ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ । ସେହିଦିନଠାରୁ ଫ୍ୟାନ୍‌ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରନ୍ତି। ଶେଷଥର ପାଇଁ ଚଳିତ ବର୍ଷ ‘ଯୁବରତ୍ନ’ ଫିଲ୍ମରେ ଅଭିନୟର ଯାଦୁ ଦେଖେଇଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍‌ ବୋମାଇ ମଧ୍ୟ ହସ୍‌ପିଟାଲ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିବା ନେଇ ସୂଚନା ମିଳିଛି । ପୁନିତଙ୍କ ଏମିତି ଅକାଳ ମୃତ୍ୟୁରେ ତାଙ୍କ ଫ୍ୟାନ୍ସ ମାନେ ଗଭୀର ମର୍ମାହତ ହୋଇଥିବା ନେଇ ଜଣାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.