ଜାଣନ୍ତୁ କିଏ ଦେଲେ ଲତା ଦିଦିଙ୍କୁ ମୁଖାଗ୍ନି, କ’ଣ ରହିଛି ତାଙ୍କ ସହ ସମ୍ପର୍କ

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ରବିବାର ଦିନ ମୁମ୍ବାଇର ଶିବାଜୀ ପାର୍କରେ ରାଜକୀୟ ସମ୍ମାନରେ ତାଙ୍କର ଶେଷକୃତ୍ୟ ହୋଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଛଳଛଳ ଆଖିରେ ମୁଖାଗ୍ନି ଦେଇଥିଲେ । ତାଙ୍କର ଅନ୍ତିମ ସତ୍କାର ପୂର୍ବରୁ ତାଙ୍କର ଶେଷ ଦର୍ଶନ କରିଥିଲେ ହଜାର ହଜାର ଲୋକ । ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖଙ୍କ ଉପସ୍ଥିତିରେ ଲତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା ।
ଲତାର ଭାଇ ହୃଦୟନାଥ ମଙ୍ଗେଶକର ତାଙ୍କ ଭଉଣୀଙ୍କୁ ଶେଷ ବିଦାୟ ଦେଇଥିଲେ। ଲତା ହୃଦୟନାଥଙ୍କ ଠାରୁ ୮ ବର୍ଷ ବଡ ଥିଲାବେଳେ ଆଶା ଠାରୁ ୪ ବର୍ଷ ସାନ । ହୃଦୟନାଥ ମଧ୍ୟ ତାଙ୍କ ବଡ଼ ଭଉଣୀ ଲତା ଏବଂ ଆଶାଙ୍କ ସଙ୍ଗୀତକୁ ଅନୁସରଣ କରି ସଙ୍ଗୀତରେ କ୍ୟାରିୟର କରିଥିଲେ। ସେ ସଙ୍ଗୀତ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବାଲାସାହେବ ଭାବରେ ଜଣାଶୁଣା । କେବଳ ସେତିକି ନୁହେଁ ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ଲତା ଏବଂ ଆଶାଙ୍କ ବ୍ୟତୀତ ତାଙ୍କର ଆଉ ଦୁଇ ବଡ଼ ଭଉଣୀ ଅଛନ୍ତି, ଯାହାର ନାମ ଉଷା ମଙ୍ଗେଶକର ଏବଂ ମୀନା ଖାଡିକର ।
୧୯୫୫ ମସିହାରେ ଲତାଙ୍କ ଭାଈ ମରାଠୀ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ହିନ୍ଦୀ ଭାଷା ଚଳଚ୍ଚିତ୍ରରେ ଅଳ୍ପ କାମ କରିଥିଲେ, କିନ୍ତୁ ସେ ମରାଠୀ ସିନେମାରେ ବହୁତ ଆକ୍ଟିଭ ଥିଲେ। ସଙ୍ଗୀତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ହୃଦୟନାଥଙ୍କୁ ବହୁତ ପ୍ରଶଂସା କରାଯାଉଥିଲା । ତାଙ୍କୁ ଭାରତ ସରକାର ୨୦୦୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଏହା ବ୍ୟତୀତ ସେ ୧୯୯୦ ମସିହାରେ ‘ଲେକିନ୍’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ଏଥିସହିତ ଲତାଙ୍କ ଶେଷ ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶିବାଜୀ ପାର୍କରେ ଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅପରାହ୍ନରେ ବାସଭବନରୁ ଏକ ଶୋଭାଯାତ୍ରାରେ ଲତାଙ୍କ ମରଶରୀର ଶିବାଜୀ ପାର୍କ ଅଭିମୁଖେ ଅଣାଯାଇଥିଲା । ଭାରତୀୟ ସେନାର ଏକ ସୁସଜ୍ଜିତ ଟ୍ରକରେ ତ୍ରିରଙ୍ଗାରେ ଘୋଡାଯାଇଥିବା ଲତାଙ୍କ ପ୍ରାର୍ଥୀବ ଶରୀର ଅଣାଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା । ରାସ୍ତାରେ ମୁମ୍ବାଇବାସୀ ଶ୍ରଦ୍ଧାଞ୍ଜଳି ଦେବା ସହ ହଜାର ହଜାର ଲତାପ୍ରମୀ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ ।
ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦିନ ଯାଏଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସ୍କୁଲ କଲେଜ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ତେଣୁ ଆଜିଠୁ ଆରମ୍ଭ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମୀକ୍ଷା ବୈଠକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।