ସାଜିଦ୍‌ ଖାନଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମରାଠୀ ଅଭିନେତ୍ରୀ; କହିଲେ, ‘ଅଫିସ୍‌ ଡାକି ମୋ ଶରୀରର ଏଠିସେଠି ଛୁଇଁଥିଲେ…’

‘ବିଗ୍‌ ବସ୍‌ ୧୬’ରେ ନଜର ଆସୁଥିବା ସାଜିଦ ଖାନଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି। ଶର୍ଲିନ୍ ଚୋପ୍ରା, ଅହାନା କୁମାର, ମନ୍ଦାନା କରିମିଙ୍କ ପରେ ଏବେ ମରାଠୀ ଅଭିନେତ୍ରୀ ଜୟଶ୍ରୀ ଗାୟକୱାଡ ସାଜିଦ ଖାନଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଏକ ଭିଡିଓ ସେୟାର କରି ନିଜର ଅନୁଭୂତି ବାଣ୍ଟିଛନ୍ତି। ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ କାମ ପାଇଁ ସାଜିଦ ଖାନଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ତାଙ୍କ ସହିତ ଖରାପ ଆଚରଣ କରାଯାଇଥିଲା।

ସାଜିଦ୍ ଖାନ୍ ଯେବେଠାରୁ ବିଗ୍ ବସ୍‌ରେ ଭାଗ ନେଇଛନ୍ତି, ସେବେଠାରୁ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏବେ ମରାଠୀ ଅଭିନେତ୍ରୀ ଜୟଶ୍ରୀ ଗାୟକୱାଡ ଭିଡିଓ ସେୟାର କରି କହିଛନ୍ତି, ‘ମୁଁ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଦୀର୍ଘ ଦିନ ଧରି କାମ କରିଆସୁଛି। ଆଠ ବର୍ଷ ପୂର୍ବେ ଜଣେ କାଷ୍ଟିଂ ନିର୍ଦ୍ଦେଶକ ମୋତେ ଏକ ପାର୍ଟିରେ ସାଜିଦ ଖାନଙ୍କ ସହ ପରିଚିତ କରାଇଥିଲେ, ଯାହା ପରେ ମୁଁ ବହୁତ ଖୁସି ହୋଇଯାଇଥିଲି। ସେ ମୋତେ କହିଥିଲେ ଯେ ‘କାଲି ତୁମେ ଅଫିସକୁ ଆସ, ମୁଁ ଏକ ଫିଲ୍ମ କରୁଛି, ହୋଇପାରେ ଆପଣଙ୍କ ପାଇଁ କିଛି ବାହାରିପାରେ’।

ଅଭିନେତ୍ରୀ ଆଗକୁ କହିଥିଲେ କି, ‘ଯେତେବେଳେ ମୁଁ ଯାଇଥିଲି, ତ ସେ ଅଫିସରେ ଏକୁଟିଆ ଥିଲେ। ସେ ମୋତେ ଏଠି ସେଠି ଛୁଇଁବା ଆରମ୍ଭ କରିଥିଲେ ଏବଂ ଖରାପ ଖରାପ କମେଣ୍ଟ ଦେବାକୁ ଲାଗିଥିଲେ। ମୋତେ ସେ କହିଥିଲେ କି, ତୁମେ ବହୁତ ସୁନ୍ଦର ଅଛ, କିନ୍ତୁ ମୁଁ ତୁମକୁ କାହିଁକି କାମ ଦେବି’? ମୁଁ କହିଲି କି, ‘ଆପଣ କ’ଣ ଚାହୁଁଛନ୍ତି ସାର୍, ମୁଁ ଭଲ ଅଭିନୟ କରେ’। ପୁଣି ସେ କହିଲେ, ‘ଅଭିନୟରେ କାମ ଚଳେ ନାହିଁ। ମୁଁ ଯାହା କହିବି, ତୁମକୁ ତାହା କରିବାକୁ ପଡ଼ିବ’। ଏହା ଶୁଣି ମୁଁ ବହୁତ ରାଗିଗଲି ଏବଂ ସେଠାରୁ ଚାଲି ଆସିଲି ବୋଲି ଅଭିନେତ୍ରୀ କହିଛନ୍ତି।

କହି ରଖୁଛୁ, ‘ମିଠୁ’ ସମୟରେ ସାଜିଦ ଖାନଙ୍କ ଉପରେ ଅନେକ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ, ଯାହାପରେ ସାଜିଦ ଖାନଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିଥିଲା। ଚଳିତ ବର୍ଷ ସେ ‘ବିଗ୍ ବସ୍ ୧୬’ରେ ଜଣେ ପ୍ରତିଯୋଗୀ ଭାବରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.