ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍ସ କେସକୁ ନେଇ ଏନସିବି ଦାଖଲ କଲା ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍, ମୁଖ୍ଯ ଅଭିଯୁକ୍ତ ରିୟାଙ୍କ ସହିତ ରହିଛି ୩୩ ଜଣଙ୍କ ନାମ

ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦିନକୁ ଦିନ ବଢିଚାଲିଛି। ଏନସିବିର ମୁମ୍ବାଇ ୟୁନିଟ୍ ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶୁକ୍ରବାର ଦିନ କୋର୍ଟରେ ପ୍ରଥମ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ରିୟା ଚକ୍ରବର୍ତ୍ତୀଙ୍କ ନାଁ ରହିଛି। ରିୟାଙ୍କ ସମେତ ଚାର୍ଜସିଟରେ ମୋଟ ୩୩ ଜଣଙ୍କ ନାଁ ରହିଛି। ରିୟାଙ୍କ ବ୍ଯତୀତ ଏଥିରେ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଭଳି ଅନେକଙ୍କ ନାମ ରହିଛି। ଖୋଳତାଡ ସମୟରେ ଜବତ ହୋଇଥିବା ଡ୍ରଗସ୍‌ ଓ ଇଲେକ୍ଟ୍ରୋନିକ୍‌ ଉପକରଣର ଫୋରେନସିକ୍‌ ରିପୋର୍ଟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚାର୍ଜସିଟ୍‌ ଦାଖଲ ହୋଇଛି ।

ରିୟାଙ୍କ ନିକଟ ସମ୍ପର୍କୀୟ ଓ କିଛି ଡ୍ରଗ୍ସ ପେଡ଼ଲରଙ୍କ ନାଁ ମଧ୍ୟ ଚାର୍ଜସିଟରେ ଅଭିଯୁକ୍ତ ରୂପରେ ସାମିଲ ରହିଛି। ଜବତ ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣର ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ରେକର୍ଡ ହୋଇଥିବା ବୟାନ ଆଧାରରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖଡେ ଏହି ଚାର୍ଜସିଟ୍ ନେଇ କୋର୍ଟରେ ପହଞ୍ଚିଥିଲେ।

riya

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ସ୍ଥିତ ବାନ୍ଦ୍ରା ଫ୍ଲାଟରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପ୍ରଥମରୁ ଏହା ଆତ୍ମହତ୍ୟା ବୋଲି କୁହାଯାଇଥିଲା। କିନ୍ତୁ ସୁଶାନ୍ତଙ୍କ ପରିବାରର ଅଭିଯୋଗ ପରେ ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାକୁ ଡ୍ରଗ୍ସ ଆଙ୍ଗେଲରୁ ଯାଞ୍ଚ କରିବା ପରେ ଅନେକ ସେଲିବ୍ରିଟିଙ୍କ ଘରେ ଏନସିବି ଚଢ଼ଉ କରିଥିଲା। ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନେକଙ୍କୁ ଜେଲ ବି ହୋଇଥିଲା। କିଛି ଡ୍ରଗ୍ସ ପେଡଲର ଏବେ ବି ଜେଲରେ ବନ୍ଦ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.