ଝିଅର ସ୍କୁଲ ବାହାରେ ବାପା ବିକ୍ରି କରୁଥିଲେ ସିଙ୍ଗଡ଼ା- ଚା : ନେହା ବଖାଣିଲେ କାହାଣୀ

ମୁମ୍ବାଇ : ନେହା କକ୍କଡ଼ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ଭାବେ ଜଣାଯାଆନ୍ତି। ତାଙ୍କର ସବୁ ଗୀତ ପ୍ରାୟ ସବୁବେଳେ ଟ୍ରେଣ୍ଡିଂରେ ରହିଥାଏ। ଆପଣ ଜାଣିଛନ୍ତି କି, ଆଜି ଯିଏ ଜଣେ ସଫଳ ଗାୟିକା ତାଙ୍କର ମଧ୍ୟ ଜୀବନରେ ଏପରି ଏକ ସମୟ ରହିଥିଲା ଯେତେବେଳେ ତାଙ୍କ ପିତା ଘର ଚଳାଇବା ପାଇଁ ଝିଅର ସ୍କୁଲ ବାହାରେ ସିଙ୍ଗଡ଼ା ଏବଂ ଚା ବିକ୍ରି କରୁଥିଲେ। ଏପରିକି ଏନେଇ ତାଙ୍କୁ ଅନେକ ନିନ୍ଦା ମଧ୍ୟ ସହିବାକୁ ପଡ଼ିଛି।

ନେହା ନିକଟରେ ଏକ ରିଆଲିଟି ସୋରେ ତାଙ୍କ ପିତାଙ୍କ ସଂଘର୍ଷର କାହାଣୀ ବଖାଣିଥିଲେ। ସେ ପରିବାର ବିଷୟରେ କହୁଥିବା ସମୟରେ ନିଜର ଲୁହକୁ ଅଟକାଇପାରିନଥିଲେ। ଗାୟିକା କହିଥିଲେ, ଆଜି ମୁଁ ଛୁଆ ମାନଙ୍କୁ ରିଆଲିଟି ସୋରେ ଅଂଶ ହେଉଥିବା ଦେଖିଲେ, ମତେ ମଧ୍ୟ ମୋ ସଂଘର୍ଷର ସେହି ଦିନ ମନେ ପଡ଼ିଯାଉଛି। ମୁଁ ଆଜି ମଧ୍ୟ ସେହି ଦିନକୁ ଭୁଲିପାରିବିନି ଯେତେବେଳେ ମୋ ପିତା ସୋନୁ ଦିଦି(ବଡ଼ ଭଉଣୀ ସୋନୁ କକଡ଼)ଙ୍କ ସ୍କୁଲ ବାହାରେ ସିଙ୍ଗଡ଼ା ବିକ୍ରି କରୁଥିଲେ। ଏଥିପାଇଁ କଲେଜରେ ଅନ୍ୟ ଛାତ୍ରଛାତ୍ରୀମାନେ ମୋ ଦିଦିଙ୍କୁ ଚିଡ଼ାଉମଧ୍ୟ ଥିଲେ।

Neha-Kakkar family

ପରେ ଆମେ ଦିଲ୍ଲୀକୁ ପଳାଇ ଆସିଲୁ। ମୋ ବଡ଼ ଭାଇ-ଭଉଣୀ ଜାଗରଣ ମାନଙ୍କରେ ଗୀତ ଗାଉଥିଲେ। ଏଣୁ ମୁଁ ମଧ୍ୟ ୪ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଦେଇଥିଲି। ସେହି ସମୟରେ ସମୟର କୌଣସି ସଠିକ୍ ସୀମା ରହିନଥିଲା। ଆମେ ଗୀତ ଅଭ୍ୟାସ କରୁକରୁ କେତେବେଳେ ସକାଳୁ ରାତି ହେଇଯାଉଥିଲା ତାହା ଜଣାପଡ଼ୁନଥିଲା। ଆମ ଜୀବନ ପରିବର୍ତ୍ତନ ହେଉଥିଲା ଯେତେବେଳେ ମୁଁ ରିଆଲିଟି ସୋକୁ ଯାଇଥିଲି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେ ନେହା କିଛି ଦିନ ହେବ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ ଶେଷଥର ପାଇଁ ଇଣ୍ଡିଆନ ଆଇଡ଼େଲର ବିଚାରକ ଭାବେ ଦେଖାଯାଇଥିଲା।