ରଣବୀର ସିଂ ହେଲେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରିଟି, ଦ୍ୱିତୀୟରେ ବିରାଟ କୋହଲି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଲେ ଅଭିନେତା ରଣବୀର ସିଂ। ବ୍ରାଣ୍ଡ ଭାଲ୍ୟୁ ଦୃଷ୍ଟିରୁ ରଣବୀର ସିଂ ସବୁଠାରୁ 'ମୂଲ୍ୟବାନ ଭାରତୀୟ ସେଲିବ୍ରିଟି' ହୋଇଛନ୍ତି।

ଲୋକପ୍ରିୟ ଅଭିନେତା ରଣବୀର ସିଂ ବ୍ରାଣ୍ଡ ଭାଲ୍ୟୁ ଦୃଷ୍ଟିରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ସେ ସବୁଠାରୁ ‘ମୂଲ୍ୟବାନ ଭାରତୀୟ ସେଲିବ୍ରିଟି’ ହୋଇଛନ୍ତି।
କର୍ପୋରେଟ୍ ଇନ୍‌ଭେଷ୍ଟିଗେସନ ଏବଂ ରିସ୍କ କନ୍ସଲ୍ଟିଂ ଫାର୍ମ କ୍ରୋଲ୍‌ର ୨୦୨୨ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତା ରଣବୀର ସିଂଙ୍କ ବ୍ରାଣ୍ଡ ଭାଲ୍ୟୁ ଦେଶରେ ସର୍ବାଧିକ ରହିଛି, ଯାହାର ଆନୁମାନିକ ମୂଲ୍ୟ ୧୮୧.୭ ମିଲିୟନ ଡଲାର।

ଏହି ତାଲିକାର ଦ୍ୱିତୀୟ ନମ୍ବରରେ ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। ରିପୋର୍ଟ ଅନୁସାରେ, ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୭୬.୯ ମିଲିୟନ ଡଲାର ଆକଳନ କରାଯାଇଛି। ୨୦୨୦ରେ ଯେତେବେଳେ କୋହଲି ଭାରତୀୟ ଦଳର ଅଧିନାୟକ ଥିଲେ, ସେତେବେଳେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ଥିଲା ୨୩୭ ମିଲିୟନ ଡଲାର। ୨୦୨୧ରେ ଏହା ୧୮୫.୭ ମିଲିୟନ ଡଲାରକୁ ଖସି ଆସିଥିଲା।

ତାଲିକାର ତୃତୀୟରେ ଅଛନ୍ତି ଅକ୍ଷୟ କୁମାର। ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୧୫୩.୬ ମିଲିୟନ ଡଲାର ଆକଳନ ହୋଇଛି। ସେପଟେ ଆଲିଆ ଭଟ୍ଟ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କର ବ୍ରାଣ୍ଡ ଭାଲ୍ୟୁ ହେଉଛି ୧୦୨.୯ ମିଲିୟନ ଡଲାର।

ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ। ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୮୨.୯ ମିଲିୟନ ଡଲାର ରହିଛି। ଦୀପିକାଙ୍କ ସହ ହ୍ରିତିକ ରୋଶନ, ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ନାମ ମଧ୍ୟ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛି। ଷଷ୍ଠ ସ୍ଥାନରେ ରହିଛି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ। ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୮୦ ମିଲିୟନ୍।

ଏହିପରି ୭୩.୬ ମିଲିୟନ ଡଲାର ବ୍ରାଣ୍ଡ ମୂଲ୍ୟ ସହିତ ଅଷ୍ଟମରେ ଅଛନ୍ତି ସଚିନ ତେନ୍ଦୁଲକର। ଶ୍ରେଷ୍ଠ ୨୫ ତାଲିକାରେ ଦକ୍ଷିଣ ଭାରତୀୟ ଅଭିନେତା ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନା ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ କମନୱେଲଥ୍ ସ୍ୱର୍ଣ୍ଣ ପଦକ ବିଜେତା ପିଭି ସିନ୍ଧୁଙ୍କ ନାମ ମଧ୍ୟ ଟପ୍‌ ୨୫ରେ ସ୍ଥାନ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.