ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ଉପରେ ଲାଗିଲା ଠକେଇ ଅଭିଯୋଗ; କୋର୍ଟ ଜାରି କଲେ ସମନ

ଶିଳ୍ପା ସେଟ୍ଟୀଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଏବେ ନିକଟରେ ତାଙ୍କ ସ୍ୱାମୀ ଜେଲ୍ରୁ ବାହାରିଛନ୍ତି, ଆଉ ଏପଟେ ତାଙ୍କ ମା’ଙ୍କ ବିରୋଧରେ ଜାରି ହୋଇଛି ଓ୍ଵାରେଣ୍ଟ। ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନ ପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ ଏହା ପୂର୍ବରୁ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ଠକେଇର ଏକ ମାମଲାରେ ସମନ ଜାରି କରିଥିଲେ।
ଶିଳ୍ପାଙ୍କ ପରିବାର ସେସନ୍ସ କୋର୍ଟରେ ସମନକୁ ଚ୍ୟାଲେଞ୍ଜ କରିଥିଲେ। ସୋମବାର ସେସନ୍ସ ଜଜ୍ ଏଜେଡ୍ ଖାନ ଶିଳ୍ପା ଓ ଶମିତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଉପରେ ରୋକ୍ ଲଗାଇ ଦେଇଥିଲେ। କିନ୍ତୁ ତାଙ୍କ ମା’ଙ୍କୁ ଛାଡ଼ି ନ ଥିଲେ। କୋର୍ଟ କହିଥିଲେ କି, ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ଓ ସୁନନ୍ଦା ଜଣେ ବିଜନେସ୍ମ୍ୟାନଙ୍କ କମ୍ପାନୀରେ ଅଂଶୀଦାର ଥିଲେ ଏବଂ ଦୁଇ ଝିଅ ମଧ୍ୟ ଅଂଶୀଦାର ଥିଲେ। ଏହାର କୌଣସି ଦସ୍ତାବିଜ୍ ଦିଆଯାଇ ନ ଥିଲା ଏବଂ ଋଣ ସହିତ କିଛି ସମ୍ବନ୍ଧ ରହିଛି, ତାହା ମଧ୍ୟ କୁହାଯାଇ ନ ଥିଲା।
ସୂଚନା ମୁତାବକ, ଏହି ୩ ଜଣଙ୍କ ବିରୋଧରେ ଜଣେ ବିଜନେସ୍ମ୍ୟାନ ଜୁହୁ ପୋଲିସ ଷ୍ଟେଶନରେ ଠକେଇ ମାମଲା ରୁଜୁ କରାଇଥିଲେ। ବିଜନେସ୍ମ୍ୟାନ ଦାବି କରିଥିଲେ ଯେ ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ୨୦୧୫ରେ ଉଧାର ନେଇଥିଲେ। ତାଙ୍କୁ ଜାନୁଆରୀ ୨୦୧୭ରେ ଏହାକୁ ସୁଝିବାର ଥିଲା, କିନ୍ତୁ ପରିବାର ଟଙ୍କା ଦେବାକୁ ମନା କରି ଦେଇଥିଲେ। ତେବେ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ।